ନନ୍ଦିଘୋଷ ବ୍ୟୁରୋ : ଗୃହରେ ଉଠିଲା ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଆକ୍ରମଣ ଘଟଣା । ଘଟଣାରେ ବାଚସ୍ପତିଙ୍କ ରୁଲିଂ ଦାବି କରିଛି ବିଜେଡି ଓ କଂଗ୍ରେସ । ବିଜେଡି ଅଭିଯୋଗ କରି କହିଛି, ବିଜେପି ସରକାରରେ କେହି ସୁରକ୍ଷିତ ନୁହଁନ୍ତି । ବ୍ଲକ ଭିତରେ ପଶି ଶାସକ ଦଳର ୧୦ରୁ ୧୨ଜଣ ଗୁଣ୍ଡା ଅଧ୍ୟକ୍ଷଙ୍କୁ ମାଡମାରିଛନ୍ତି । ତେଣୁ ରାଜ୍ୟରେ ଜନ ପ୍ରତିନିଧି ମାନେ ଆଉ ସୁରକ୍ଷିତ ନୁହଁନ୍ତି ବୋଲି କହି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସରକାର ଜନପ୍ରତିନିଧିଙ୍କୁ ସୁରକ୍ଷା ଦିଅନ୍ତୁ । କ୍ଷମତାକୁ ଅପବ୍ୟବହାର କରି ଶାସକ ଦଳର ଗୁଣ୍ଡା ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି l ରାଜ୍ୟରେ ଆଇନ ଶୁଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି l ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ରାଜନଗରରେ ବିଡିଓଙ୍କୁ ଆକ୍ରମଣ କରାଗଲା । ଏବେ ବ୍ଲକ ଅଧ୍ୟକ୍ଷଙ୍କୁ ଆକ୍ରମଣା ହେଲା । ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରି ଦଣ୍ଡ ଦେବାକୁ ଦାବି କରିଛନ୍ତି ଗଣେଶ୍ବର । କଂଗ୍ରେସ ମଧ୍ୟ ଘଟଣାରେ ରୁଲିଂ ଦାବି କରି ଏହାକୁ ଦୁର୍ଭାଗ୍ଯଜନକ କହିଛି । ସେପଟେ ଆଜି ଆହତ କୃଷ୍ଣଚନ୍ଦ୍ରଙ୍କୁ ଭେଟିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ ଏବେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

