ଗାଁ ଲୋକଙ୍କୁ ବିକାଶର ଗ୍ୟାରେଣ୍ଟି, ଆଜି ଆଉ ତିନି ଜିଲ୍ଲାରେ ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା

କୋରାପୁଟ : ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ସହ ପ୍ରତି ପୂଜାସ୍ଥଳୀର ହେଉଛି ବିକାଶ । ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରୁଛି ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କ ଏହି ଐତିହାସିକ ଗ୍ରାମାଭିମୂଖୀ ଯୋଜନାରେ ଆଜି ସାମିଲ ହେବ ଆଉ ତିନୋଟି ଜିଲ୍ଲା । କୋରାପୁଟ, ନୂଆପଡ଼ା ଓ ଯାଜପୁରରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନୋଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ୩୪୧ କୋଟି ଟଙ୍କା ଭେଟିଦେବେ ମୁଖ୍ୟମନ୍ତ୍ରୀ ।

କୋରାପୁଟରେ ୧୨୦କୋଟି ଟଙ୍କା ବ୍ୟୟରେ ୩ ହଜାର ୮୭ଟି ପ୍ରକଳ୍ପ ନିର୍ମାଣ ହେବାକୁ ଥିବାବେଳେ ନୂଆପଡ଼ାରେ ୬୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୧ହଜାର ୭୬୫, ଯାଜପୁର ଜିଲ୍ଲାରେ ୧୫୫କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୪ ହଜାର ୧୦୯ଟି ପ୍ରକଳ୍ପ ନିର୍ମାଣ କରାଯିବ । ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା । ରାଜ୍ୟରେ ସବୁ ଗାଁର ବିକାଶ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଗାଁରେ ଲୋକଙ୍କୁ ମିଳୁଛି ବିକାଶର ଗ୍ୟାରେଣ୍ଟି ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରତି ପୂଜାସ୍ଥଳୀର ବିକାଶ କରାଯାଉଛି । ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍ ସଂଯୋଗ, ବିଜ୍ଞାନ ପାର୍କ, ଦକ୍ଷତା ବିକାଶ କେନ୍ଦ୍ର , ବ୍ୟାଙ୍କିଙ୍ଗ ସୁବିଧା ଆଦି ଯୋଗାଇ ଦେଇ ସବୁ ବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି ।