ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଗିରଫଙ୍କ ମଧ୍ୟରେ ଅଛନ୍ତି ୪ ଜଣ ନାବାଳକ । ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ଆରମ୍ଭ କରି ଛାନଭିନ । ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଦୁଷ୍କର୍ମ କରିଥିବାବେଳେ ଅନ୍ୟ ୭ ଜଣ ସହଯୋଗ କରିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାରେ ବାରମ୍ବାର ଅପରାଧ ଘଟୁଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ।
ପୁଣି ଗଞ୍ଜାମ ଜିଲ୍ଲାକୁ ଲଜ୍ଜିତ କଲା ଗୋପାଳପୁର ଗଣଦୁଷ୍କର୍ମ । ଘଟଣାରେ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଗିରଫଙ୍କ ମଧ୍ୟରେ ଅଛନ୍ତି ୪ ନାବାଳକ । ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଘଟଣା ପରେ ବ୍ରହ୍ମପୁର ଏସ୍ପି, ଅତିରିକ୍ତ ଏସ୍ପି, ଡିଏସ୍ପି ଓ ବ୍ରହ୍ମପୁର ଏସ୍ଡିପିଓ ପ୍ରମୁଖ ଗୋପାଳପୁର ଥାନାରେ ପହଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିଛନ୍ତି । ପୀଡ଼ିତା ଛାତ୍ରୀଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରମୋଦ ନାୟକ ବିରୋଧରେ ପୂର୍ବରୁ ଦୁଇଟି ମାମଲା ରହିଛି । ସେହିପରି ସିକିରି ଗ୍ରାମର ବାବୁରାମ ଦଳେଇ, ପାଟପୁର ଗ୍ରାମର କୁନାଲ ପ୍ରଧାନଙ୍କ ସହ ଅନ୍ୟମାନେ ହିଞ୍ଜିଳିକାଟୁ ଅଞ୍ଚଳର । ରବିବାର ଗୋପାଳପୁର ବେଳାଭୂମିକୁ ଆସି ସମସ୍ତେ ପ୍ରଥମେ ସମୁଦ୍ରରେ ଗାଧୋଇଥିଲେ । ପରେ ଏହି କାଣ୍ଡ ଭିଆଇ ଥିବା ପୋଲିସ କହିଛି । ଏପରିକି ଦୁଷ୍କର୍ମ କରିବା ପରେ ଟଙ୍କା ମାଗିଥିବା ଜଣାପଡିଛି । ୪ ନାବାଳକଙ୍କୁ ଉପଯୁକ୍ତ ଦଣ୍ଡ ପାଇଁ ପୋଲିସ କୋର୍ଟକୁ ଅନୁରୋଧ କରିବ ବୋଲି ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ରବିବାର ଗୋପାଳପୁର ବେଳାଭୂମିକୁ ନିଜ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିଲେ ଯୁକ୍ତ ତିନି ଛାତ୍ରୀ । ସନ୍ଧ୍ୟା ପ୍ରାୟ ୭ଟାରେ ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟେ ବସିଥିବାବେଳେ ୧୦ ଅଭିଯୁକ୍ତ ସେମାନଙ୍କୁ ଘେରିଯାଇ ପ୍ରଥମେ ଅସଦାଚରଣ କରିଥିଲେ । ପରେ ପୁରୁଷ ବନ୍ଧୁକୁ କିଛି ଯୁବକ କାବୁ କରି ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ସାଢେ ୧୦ଟାରେ ଥାନାରେ ଏନେଇ ଏତଲା ଦେଇଥିଲେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ । ପୋଲିସ ଅପରାଧୀଙ୍କୁ ଖୋଜୁଥିବବେଳେ ଡୁରା ଓଭରବ୍ରିଜ ନିକଟରେ ୪ଜଣ ପୋଲିସ ଗାଡ଼ିକୁ ଦେଖ୍ ଦୌଡିବାକୁ ଚେଷ୍ଟା କରିଥିଲେ I ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କାବୁ କରିଥିଲା ପୋଲିସ । ଥାନାରେ ଜେରା ପରେ ଅନ୍ୟମାନଙ୍କ ମିଳିଥିଲା ଠିକଣା । ଗିରଫ ଅଭିଯୁକ୍ତମାନେ ଯଦି ପ୍ରକୃତରେ ଏଭଳି ଜଘନ୍ୟକାଣ୍ଡରେ ସମ୍ପୃକ୍ତ ତେବେ ସେମାନଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି ସମ୍ପର୍କିୀୟ । ସେପଟେ ବ୍ରହ୍ମପୁରରେ ବିଗୁଡୁଥିବା ଆଇନଶୃଙ୍ଖଳାକୁ ନେଇ ସ୍ଥାନୀୟ ଜନପ୍ରତିନିଧି ପୋଲିସର ଅପରାଗତାକୁ ଦାୟୀ କରିଛନ୍ତି । କିଛିଦିନତଳେ ଗୋଳନ୍ଥରା ଅଞ୍ଚଳରେ ଦୁଇଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାବେଳେ ଏବେ ଏହି ଘଟଣା ପୁଣିଥରେ ଜିଲ୍ଲାକୁ ଲଜ୍ଜିତ କରିଛି ।

