ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଏବେ ଦୈନନ୍ଦିନ ଜୀବନରେ ପଡ଼ିବାରେ ଲାଗିଛି । ଯୁଦ୍ଧ କାରଣରୁ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପରେ ଘରୋଇ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି । ଖାଇବା ତେଲ ପରେ ଏବେ ବଢ଼ିଛି ଏଲପିଜି ସିଲିଣ୍ଡର ଦର । ତେଲ ମାର୍କେଟିଂ କମ୍ପାନୀ ମଙ୍ଗଳବାର ଦିନ ଘରୋଇ ଗ୍ୟାସ ଦର ବଢାଇଛନ୍ତି । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ପଇସା ବୃଦ୍ଧି ପାଇଥିବା ବେଳେ ଏଲପିଜି ସିଲିଣ୍ଡର ଦର ୫୦ଟଙ୍କା ବୃଦ୍ଧି ପାଇଛି ।
ଏହାପୂର୍ବରୁ କ୍ଷୀର କମ୍ପାନୀଗୁଡ଼ିକ କ୍ଷୀରର ମୂଲ୍ୟ ଲିଟର ପ୍ରତି ୨ରୁ ୫ଟଙ୍କାକୁ ବୃଦ୍ଧି କରିଥିଲେ । ୧୪.୨କେଜି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ଟଙ୍କା ବୃଦ୍ଧି ପାଇଥିବା ବେଳେ ଏବେ ଆପଣଙ୍କୁ ଗୋଟେ ସିଲିଣ୍ଡର କିଣିବା ପାଇଁ ୯୪୯.୫୦ ଟଙ୍କା ଦେବାକୁ ହେବ।
ଅନେକ ମାସର ବ୍ୟବଧାନ ପରେ ଏବେ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ପାଇଛି । ଶେଷ ଥର ପାଇଁ ଘରୋଇ ଏଲପିଜି ସିଲିଣ୍ଡରର ଦର ଅକ୍ଟୋବର ୬, ୨୦୨୧ରେ ବୃଦ୍ଧି ପାଇଥିଲା । ଦର ବୃଦ୍ଧି ପରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୯୪୯.୫ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ଏହାର ଦାମ୍ ୮୯୯.୫୦ ଟଙ୍କା ଥିଲା। କୋଲକାତାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୭୬ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ କୋଲକାତାରେ ଏହାର ମୂଲ୍ୟ ୯୨୬ଟଙ୍କା ଥିଲା। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୮୭.୬ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ପାଟନାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୪୭.୫ ଟଙ୍କାକୁ ବୃଦ୍ଧି ପାଇଛି।

