କୋୱିନ ଆପ୍‌ ମାଧ୍ୟମରେ ପଞ୍ଜିକରଣ କରିଥିବା ଲୋକଙ୍କୁ ମିଳିବ ଅଗ୍ରାଧିକାର

ଭୁବନେଶ୍ୱର: କରୋନା ଟିକା ନେବା ପାଇଁ କୋଓ୍ବିନ ଆପ୍‌ ମାଧ୍ୟମରେ ପଞ୍ଜିକରଣ କରିଥିବା ଲୋକଙ୍କୁ ଅଗ୍ରାଧିକାର ମିଳିବ । ସେମାନଙ୍କୁ ଆଗେ ଟିକା ମିଳିବ ବୋଲି କହିଛନ୍ତି ରାଜ୍ୟ ସରକାର । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଅଫଲାଇନ୍‌ ବା ଟିକା କେନ୍ଦ୍ରକୁ ଯାଇ ପଞ୍ଜିକରଣ କରୁଥିବା ଲୋକଙ୍କୁ ଟିକା ଦେବା ଉପରେ କଟକଣା ଜାରି କରାଯାଇଛି । ଏହାଦ୍ବାରା ଟିକାର ପରିଚାଳନା ଠିକ୍‌ ହେବା ସହ ଟିକା ନଷ୍ଟ ମଧ୍ୟ ବହୁ ମାତ୍ରା ଆୟତକୁ ଆସିବ । ଅନଲାଇନ୍‌ରେ ପଞ୍ଜିକରଣ କରିଥିବା ଲୋକଙ୍କୁ ଅନେକ ସମୟ ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି । ଟିକା କେନ୍ଦ୍ରରେ ପଞ୍ଜିକରଣ କରି ଲୋକେ ଭିଡ ଜମାଉଥିବାରୁ ଅନଲାଇନ ପଞ୍ଜିକରଣକାରୀରେ ହଇରାଣ ହେଉଛନ୍ତି । ଅନେକ ସମୟ ଧରି ଅପେକ୍ଷା କରୁଛନ୍ତି ।

ଏପଟେ ବୟସ୍କ ଲୋକଙ୍କୁ ଘର ପାଖରେ ଟିକାକରଣ କରେଇବା ନେଇ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବୟସ୍କ ଓ ଭିନ୍ନକ୍ଷମ ମାନେ ଚାହିଁଲେ ଘର ପାଖରେ ଥିବା ଯେ କୌଣସି ସ୍ଥାନରେ ଟିକା ନେଇପାରିବେ । ସେମାନଙ୍କର ଯେଉଁଠି ସୁବିଧା ହେବ ସେମାନେ ଟିକା ନେବେ । ଏଥିପାଇଁ ଖୁବଶିଘ୍ର ଗାଇଡଲାଇନ୍‌ ପ୍ରକାଶ କରାଯିବ । କମ୍ୟୁନିଟି ସେଣ୍ଟର, ସ୍କୁଲ, ପଞ୍ଚାୟତ କାର୍ଯ୍ୟାଳୟ ଭଳି ସ୍ଥାନରେ ସେମାନଙ୍କୁ ଟିକା ଦିଆଯିବ । ସମସ୍ତଙ୍କୁ ସୁରୁଖୁରୁରେ ଟିକାକରଣ କରିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ସେପଟେ ଟିକାର ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ପ୍ରକାଶ ପାଇଛି । ମାତ୍ର ୪ଟି ମାଧ୍ୟମରେ ରାଜ୍ୟରେ ଟିକାକରଣ ହେବ । ଅନ୍ୟ କୌଣସି ଉପାୟରେ ଟିକାକରଣ ହେଲେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ପ୍ରଥମଟି ହେଲା ସରକାରୀ ଟିକାକରଣ କେନ୍ଦ୍ର, ଦ୍ବିତୀୟରେ ଘରୋଇ ମେଡିକାଲ ଦ୍ବାରା ପରିଚାଳିତ କେନ୍ଦ୍ର, ତୃତୀୟରେ ସରକାରୀ ଅଫିସ ଓ ଘରୋଇ ଅଫିସ୍‌ରେ ସରକାରଙ୍କ ତତ୍ବାବଧାନରେ ହେଉଥିବା ଟିକାକରଣ ଏବଂ ଚତୁର୍ଥରେ ବୟସ୍କ ଓ ଭିନ୍ନକ୍ଷମ ପାଇଁ ହୋଇଥିବା ସ୍ବତନ୍ତ୍ର ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ହୋଟେଲରେ ଟିକା ଦିଆଯାଉଥିବା ନେଇ ଅଭିଯୋଗ ପରେ ସରକାର ଏଭଳି ଗାଇଡଲାଇନ୍‌ ଜାରି କରିଛନ୍ତି । ତୁରନ୍ତ ଟିକାକରଣରେ ଏଭଳି ମାଧ୍ୟମକୁ ବନ୍ଦ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ ।

Leave a Reply