ନନ୍ଦିଘୋଷ ବ୍ୟୁରୋ : ୫ ବର୍ଷ ହେଲା ଚାଲିଛି ୩୩୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ବଙ୍ଗଳାଗୁଡା ପୋଲ ନିର୍ମାଣ କାମ । ସାମାନ୍ଯ ବର୍ଷା ହେଲେ ଆଶାୟୀ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି । ଯାହା ଫଳରେ କୋରାପୁଟ-ରାୟଗଡା ଯୋଗାଯୋଗରେ ଅନେକ ସମୟରେ ସମସ୍ୟା ସୃଷ୍ଟି ହେଉଛି ।
କେବେ ସରିବ ବଙ୍ଗଳାଗୁଡ଼ା ପୋଲ ନିର୍ମାଣ କାମ ? ୫ ବର୍ଷ ହେଲା ସରିବାର ନାଁ ନେଉନି । ସାମାନ୍ଯ ବର୍ଷା ହେଲେ କୋରାପୁଟ-ରାୟଗଡ଼ା ଯୋଗାଯୋଗ ଠପ୍ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଲୋକେ ହନ୍ତସନ୍ତ । ୩୩୬ ନମ୍ବର ଜାତୀୟ ରାଜପଥ ଜୟପୁର ଠାରୁ ରାୟଗଡା ଯିବା ରାସ୍ତାରେ ବଙ୍ଗଳାଗୁଡ଼ା ପୋଲ । ୨୦୨୦ ଅଗଷ୍ଟ ୧୬ ତାରିଖରେ ୪୦ ଫୁଟର ଏହି ଲମ୍ବା ବ୍ରିଜ ୨୦ ଫୁଟ ତଳକୁ ଭୁଶୁଡ଼ି ପଡିଥିଲା । ନୂତନ ବ୍ରିଜ ନିର୍ମାଣ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ୬ ମାସରେ କାମ ସାରିବାକୁ କୁହାଯାଇଥିଲା । ତେବେ କର୍ତ୍ତୃପକ୍ଷ ଏକ ଅସ୍ଥାୟୀ ବ୍ରିଜ ନିର୍ମାଣ କରି ୫ ବର୍ଷ ହେଲା କାମ ଚାଲୁ ରଖିଥିଲେ ବି ଏହା ସରିବାର ନାଁ ନେଉନି । ସାମାନ୍ଯ ବର୍ଷା ହେଲେ ଅସ୍ଥାୟି ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟାତ ଠପ ହୋଇ ଯାଉଛି । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।
ବର୍ଷା ୪ ମାସ ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ କୋରାପୁଟ-ରାୟଗଡା ମଧ୍ଯରେ ଦିନ ଦିନ ଅଟକି ରହୁଛି ହଜାର ହଜାର ଯାନବାହାନ । । ଏହି ରାଜପଥ ଦେଇ ପ୍ରତିଦିନ ବ୍ରହ୍ମପୁର, କଟକ, ରାୟଗଡା ସମେତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକୁ ଦୈନିକ ଶତାଧିକ ଯାନବାହନ ଚଳାଚଳ କରୁଛି । ବର୍ଷା ହେଲେ ବାଧ୍ୟ ହୋଇ ଗାଡ଼ି ଗୁଡିକ ୩୦ କିଲୋମିଟର ଅଧିକ ଦୂର ଦାମନଯୋଡି କିମ୍ବା ମହାଦେଇପୁଟ ଦେଇ ଯାତାୟତ କରନ୍ତି । ଜୟପୁର ବସ ମାଲିକ ସଂଘ ବିଭାଗୀୟ ଅଧିକାରୀଙ୍କ ଏପରି ଅବହେଳାକୁ ତିବ୍ର ନିନ୍ଦା କରିଛି । ସେପଟେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଲକ୍ଷ୍ମୀପୁର ବିଧାୟକ । ଏନଏଚ କର୍ତ୍ତୃପକ୍ଷଙ୍କ ଏପରି ଅବହେଳା ପାଇଁ ଜିଲ୍ଲା ପ୍ରଶାସନକୁ ଦାୟି କରିଛନ୍ତି ଲୋକେ ।

