କାଠଗଡ଼ାରେ ୟୁପି ସରକାର, ପୁଣି ଭର୍ତ୍ସନା କଲେ ସର୍ବୋଚ୍ଚ ଅଦାଲତ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଅହେତୁକ ଅନୁକମ୍ପା । କାଠଗଡ଼ାରେ ୟୁପି ସରକାର । ପୁଣି ଭର୍ତ୍ସନା କଲେ ସର୍ବୋଚ୍ଚ ଅଦାଲତ । ତିନି ତିନି ଥର ନାଲି ଆଖି ସତ୍ତ୍ବେ ବେଫିକର ୟୁପି ସରକାର । ଉତ୍ତରପ୍ରଦେଶ ଲଖିମପୁର ଚାଷୀ ମୃତ୍ୟୁ ମାମଲାର ତଦନ୍ତରେ ପ୍ରବଳ ଢିଲା । ରାଜ୍ୟ ସରକାରଙ୍କ ଷ୍ଟାଟସ ରିପୋର୍ଟ ଦେଖି ସୁପ୍ରିମକୋର୍ଟ ନାଖୁସ୍ । ରିପୋର୍ଟରେ କିଛି ନୂଆ କଥା ନାହିଁ ବୋଲି କହିଛନ୍ତି କୋର୍ଟ । ମାମଲାରେ ଆଉ କିଛି ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଉଛି ବୋଲି ଏହି ଗୋଟିଏ ତଥ୍ୟ ନୂଆ ରହିଛି । ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ବ୍ୟକ୍ତ କରିବା ସହ କୋର୍ଟ ଜଣେ ପୂର୍ବତନ ହାଇକୋର୍ଟ ବିଚାରପତିଙ୍କୁ ତଦନ୍ତର ନିରୀକ୍ଷଣ ପାଇଁ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କେଉଁମାନେ ନିଯୁକ୍ତ ହେବେ ସେମାନଙ୍କ ନାଁକୁ ମଧ୍ୟ କୋର୍ଟରୁମ୍ରେ ଘୋଷଣା କରିଛନ୍ତି । ଏଥିସହ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଦାଦାଗିରି ସଂକ୍ରାନ୍ତ ମାମଲାରେ କ୍ଷୋଭ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଲ୍ୟାବ ରିପୋର୍ଟ ମଧ୍ୟ ବର୍ତ୍ତମାନ ସୁଦ୍ଧା କାହିଁକି ଆସିନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ହିଂସା ମାମଲାରେ କାହିଁକି ଭିନ୍ନ ଭିନ୍ନ ଦୁଇଟି ଏଫଆଇଆର ରୁଜୁ ହୋଇଛି ତାହା ବି ଜାଣିବାକୁ ଚାହିଁଛନ୍ତି କୋର୍ଟ । ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସବୁ ମାମଲାର ତଦନ୍ତ ସିବିଆଇ କରିବ, ତାର କୌଣସି ଆବଶ୍ୟକତା ନାହିଁ । ଅନ୍ୟ ତଦନ୍ତକାରୀ ସଂସ୍ଥା ମାନଙ୍କ ଉପରେ ଭରସା ରହିବା ଦରକାର । ସିବିଆଇ ସବୁ ସମସ୍ୟାର ସମାଧାନ ନୁହେଁ । ଏଥିସହ ମାମଲାରେ କେବଳ ଆଶିଷ ମିଶ୍ରାଙ୍କର ଫୋନ୍ ସିଜ୍ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କର କାହିଁକି ମୋବାଇଲ୍ ସିଜ୍ ହୋଇନାହିଁ । ଅନ୍ୟମାନେ କଣ ମୋବାଇଲ ବ୍ୟବହାର କରୁନାହାନ୍ତି କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ୟୁପି ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଷ ସାଲଭେ ଯୁକ୍ତି ରଖିଥିବା ବେଳେ ଅନ୍ୟମାନଙ୍କର ସିଡିଆର ବା କଲ ଡିଟେଲ୍ସ ରିପୋର୍ଟ ବାହାର କରାଯାଇଛି ବୋଲି କହିଛନ୍ତି ।
ମାମଲାର ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲି । ଗତ ଶୁଣାଣିରେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ସୁପ୍ରିମକୋର୍ଟ । ଅକ୍ଟୋବର ୩ର ଏହି ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତ ସନ୍ତୋଷଜନକ ନଥିଲା ବୋଲି କହିଥିଲେ କୋର୍ଟ । ଲଖିମପୁରରେ ଚାଷୀ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ନିଜ ସମର୍ଥକଙ୍କ ସହ ଚାଷୀଙ୍କ ଉପରେ କାର ଚଢାଇଦେଇଥିଲେ । ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିଲା ।
