କରୋନା ଟେଷ୍ଟ କରିବେ ଡଙ୍ଗରିଆ କନ୍ଧ, ନିୟମଗିରିରରୁ ଦୂରେଇବ ଭୂତାଣୁ
ରାୟଗଡ଼ା: କରୋନା ଟେଷ୍ଟ କରିବାକୁ ରାଜି ହେଲେ ନିୟମଗିରିର ଡଙ୍ଗରିଆ କନ୍ଧ । ଉପଜିଲ୍ଲାପାଳଙ୍କ ବୁଝାସୁଝା ପରେ କରୋନା ପରୀକ୍ଷା କରିବାକୁ ସେମାନେ ରାଜି ହୋଇଥିବା ଜଣାପଡିଛି । ଆସନ୍ତାକାଲି ମେଡିକାଲ୍ ଟିମ୍ ଯାଇ ଟେବାପତା ଓ କାଡ୍ରାକା ବଣ୍ଡେଲି ଗାଁର ଡଙ୍ଗରିଆ କନ୍ଧଙ୍କ କରୋନା ଟେଷ୍ଟ କରିବ । ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ ପ୍ରଧାନ ନିୟମଗିରିର ସୁନାଖଣ୍ଡି ଓ ପାର୍ସାଲି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଡଙ୍ଗରିଆ କନ୍ଧଙ୍କ ସହିତ ଆଲୋଚନା କରିଛନ୍ତି ।
ତେବାପଡା,କାଡ୍ରାକାବଣ୍ଡେଲି ଓ ପାର୍ସାଲି ଗାଁରେ ଲୋକମାନଙ୍କ ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ସମସ୍ତ ଡଙ୍ଗରିଆ କନ୍ଧଙ୍କୁ ଉପଜିଲାପାଳ ମାସ୍କ ବାଣ୍ଟିବା ସହିତ ମାସିକ ଭତ୍ତା ମଧ୍ଯ ପ୍ରଦାନ କରିଛନ୍ତି । ପରେ ପାର୍ସାଲି ଠାରେ ଅଙ୍ଗନାବାଡି କର୍ମୀଙ୍କୁ ନେଇ ଏକ ବୈଠକରେ ସ୍ଥାନୀୟ ଅଞ୍ଚଳରେ କରୋନାର ମୁକାବିଲା ଉପରେ ଆଲୋଚନା କରିଥିଲେ । ଘରକୁଘର ବୁଲି କୋଭିଡ ଟେଷ୍ଚ ସହିତ ସ୍ବାସ୍ଥ୍ୟ ପରୀକ୍ଷା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।
କମ୍ ଲୋକରେ ବିବାହ କାର୍ଯ୍ୟ କରିବା ସହିତ ଭୋଜିଭାତ ନକରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପାର୍ସାଲି ସରପଞ୍ଚ ବାମକାଡ୍ରାକା କରୋନାରେ ଆକ୍ରାନ୍ତ ହୋଇ ସଂଗରୋଧରେ ଅଛନ୍ତି । ଅନ୍ଧ ବିଶ୍ବାସକୁ ଭରସା ନକରି କରୋନା ଟେଷ୍ଟ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
