ନନ୍ଦିଘୋଷ ବ୍ୟୁରୋ : ଓଲିଉଡର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ। ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି । ଏହି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଅଭିନେତା ସାତ୍ୟକି ମିଶ୍ର କଟକ ଡିସିପିଙ୍କୁ ଭେଟି ନିଜ ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଗୁହାରି କରିଛନ୍ତି। କଟକର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ ର ମାଲିକାନାକୁ ନେଇ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗି ରହିଛି। ସତ୍ୟକି ମିଶ୍ରଙ୍କ ଦୁଇ ବଡ଼ବାପାଙ୍କ ପୁଅ ସବ୍ୟସାଚୀ ମିଶ୍ର ଓ ସୌମିତ୍ରୀ ମିଶ୍ର ଏହି ସଂସ୍ଥାକୁ ବେଆଇନ ଭାବେ ଅକ୍ତିଆର ଚେଷ୍ଟା କରୁଥିବା ସାତ୍ୟକି ଅଭିଯୋଗ କରିଛନ୍ତି । ଗତ ୬ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ସତ୍ୟକିଙ୍କ ଘରେ ପଶି ତାଙ୍କର ୮୪ ବର୍ଷୀୟ ବୃଦ୍ଧ ପିତା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।ଏନେଇ ସେ ପୁରୀଘାଟ ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ, ଆଜି ସତ୍ୟକି ମିଶ୍ର କଟକ ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି ।

