spot_img

Latest Posts

ଏତେ ଘଡ଼ଘଡ଼ି ଏବଂ ବିଜୁଳି ମାରୁଛି କାହିଁକି ?

ନନ୍ଦିଘୋଷ ବ୍ୟୁରୋ: ଜୀବନ ନେଉଛି ବଜ୍ରାପାତ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଢୁଛି ଘଡ଼ଘଡ଼ି ଓ ବଜ୍ରପାତ ସଂଖ୍ୟା । ଚଳିତବର୍ଷ ଓଡ଼ିଶାରେ ବଜ୍ରପାତ ନେଲାଣି ଏକାଧିକ ଲୋକଙ୍କ ଜୀବନ। ତତଲା ଭୂପୃଷ୍ଠ ଓ ଆର୍ଦ୍ରତା ଯୋଗୁ ସୃଷ୍ଟି ହୋଇଛି କନଭେକ୍ଟିଭ ବାଦଲ । ଯାହାକି ବଜ୍ରପାତ ଜନିତ ବର୍ଷାର କାରଣ । ଓଡ଼ିଶାର ଖଣି ଖାଦାନ ଅଞ୍ଚଳରେ ଗଛ କାଟି ଦିଆଯିବାରୁ ବଜ୍ରପାତ ସଂଖ୍ୟା ବଢିଛି । ଆଗକୁ ବନୀକରଣକୁ ଗୁରୁତ୍ବ ନ ଦେଲେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ଆହୁରି ବଢିବ । ଦିନବେଳା ଟାଣ ଖରା ଗରମ । ଆକାଶରେ ତୁଳାଭଳି ସ୍ଥିର ବାଦଲ । ଗୋଟିଏ ଅଞ୍ଚଳରେ ଠୁଳ ହେଉଛି । ସ୍ଥିର ଅଛି । ଏହାର ଅର୍ଥ, କିଛି ସମୟ ଭିତରେ ବଜ୍ରପାତ ସହ ଘଡ଼ଘଡ଼ି ବର୍ଷା । ବଡ଼ ବଡ଼ ଟୋପାରେ ଛେଚିବ। ଏହା ହେଉଛି ପରିଚଳନ ବର୍ଷା ବା କନ୍ଭେକ୍ଟିଭ ରେନ୍ ।

ଓଡ଼ିଶାରେ ଏପରି ବଜ୍ରପାତ ସହ ବର୍ଷା ପରିମାଣ ଦିନକୁ ଦିନ ବଢୁଛି । ଏପରି ହେବାର କାରଣ । ଭୂପୃଷ୍ଠର ତାପମାତ୍ରା ବଢିବା ସହ ଆର୍ଦ୍ରତା ମିଶି ପରିଚଳନ ଗତି ସୃଷ୍ଟି କରିଥାଏ । ଉଚ୍ଚତାପମାତ୍ରା ଓ ଜଳୀବାଷ୍ପ ଆକାଶକୁ ଉଠି କନଭେକ୍ଟିଭ ଇଫେକ୍ଟ ସୃଷ୍ଟି କରିଥାଏ । ଫଳରେ ତୁଳା ଭଳି ବାଦଲ ସୃଷ୍ଟି ହୁଏ । ଏଭଳି ବାଦଲ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ସୃଷ୍ଟି ହୋଇ କିଛି ମାତ୍ରା କଳା ପଡ଼ିବା ପରେ ବଡ଼ ବଡ଼ ଟୋପା ସହ ସେହି ନିର୍ଦ୍ଧିଷ୍ଟ ସ୍ଥାନରେ କାଚିଥାଏ ।

ଏହି ବର୍ଷା ସମୟରେ ପ୍ରବଳ ଘଡ଼ଘଡ଼ି ହେବା ସହ ବଜ୍ରପାତ ଯୋଗୁ ଧନଜୀବନ ହାନି ହୋଇଥାଏ । ଯେତେବେଳେ ଲୋକେ ଏପରି ବାଦଲ ଏକାଠି ସ୍ଥିର ଭାବେ ଠୁଳ ହେବା ଦେଖୁଛନ୍ତି । ତାହେଲେ ଜାଣି ନିଅନ୍ତୁ କମ୍ ସମୟ ଭିତରେ ବଜ୍ରପାତ ସହ ବର୍ଷା ହେବ । ଜୀବନକୁ ସୁରକ୍ଷା ଦେବା ପାଇଁ କୌଣସି ସୁରକ୍ଷିତ ସ୍ଥାନକୁ ଚାଲିଯିବା ଦରକାର । ଗଛପାଖ, କିମ୍ବା ବିଦ୍ୟୁତ ଖୁଣ୍ଟ ପାଖରେ ରହିବା ଆଦୌ ଉଚିତ ନୁହେଁ ବୋଲି ବିଶିଷ୍ଠ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ପରାମର୍ଶ ଦେଇଛନ୍ତି ।

ପରିବେଶ ବିଜ୍ଞାନୀଙ୍କ ମତରେ ଓଡ଼ିଶାରେ ଏହି ବଜ୍ରପାତ ଜନିତ ବର୍ଷା ଏବେ ଅଧିକ ହେଉଛି । ବଜ୍ରପାତ ଯୋଗୁ ମଣିଷ ଓ ଜୀବଜନ୍ତୁଙ୍କ ଜୀବନ ଯାଉଛି । ଓଡ଼ିଶାରେ ଖଣି ଖାଦାନ ଅଞ୍ଚଳରେ ବ୍ୟାପକ ଗଛକଟା ଯୋଗୁ ଏପରି ଦଶା ହେଉଛି । ଖଣିରେ ଥିବା ତମ୍ବା, ଲୁହା ଓ ଧାତବ ପଦାର୍ଥ ବିଦ୍ୟୁତ ସୁପର କଣ୍ଡକ୍ଟର୍ ଭାବେ କାର୍ଯ୍ୟ କରିଥାଏ । ଯାହାଯୋଗୁ ବାଦଲ ଓ ବାଦଲ ମଧ୍ୟରେ ତୀବ୍ର ଘର୍ଷଣ ଯୋଗୁ ବଜ୍ରପାତ ସୃଷ୍ଟି ହୋଇ ଭୂପୃଷ୍ଟକୁ ଆସିଥାଏ । ଯଦି ଗଛ ରହିବ, ତାହେଲେ ସେ କରେଣ୍ଟ୍ ଗଛ ଦେଇ ଭୂପୃଷ୍ଠକୁ ଚାଲିଯିବ।

ପୁରୁଣା କାଳରେ ଫସଲ ବିଲ ଚାରିପଟେ ସେଥିପାଇଁ ଲମ୍ବାଲମ୍ବା ତାଳଗଛ ଲଗାଯାଉଥିଲା । ଏବେ ସମାନ ପ୍ରକ୍ରିୟା ସରକାର ଆରମ୍ଭ କରିଛନ୍ତି । ବିଶ୍ବ ତାପାୟନ ଓ ଜୈବିକ ଇନ୍ଧନ ଦ୍ବାରା ଗାଡ଼ି ଚଳାଚଳ ବଢୁଥିବାରୁ ବାୟୁମଣ୍ଡଳରେ ତାପମାତ୍ରା ବଢିବାରେ ଲାଗିଛି । ଓଡ଼ିଶାରେ ଆଗାମୀ ଦିନରେ ଘଡ଼ଘଡ଼ି ଜନିତ ବର୍ଷା ପରିମାଣ ଆହୁରି ବଢିବ । ଦିନକୁ ଦିନ ବଢୁଛି ଅଦିନିଆ ବର୍ଷା । ବାୟୁମଣ୍ଡଳ ଆର୍ଦ୍ରତା ବୃଦ୍ଧି ଅଧିକରୁ ଅଧିକ ପରିଚଳନ ଜନିତ ବାଦଲ ସୃଷ୍ଟି କରୁଛି । ଯାହାକି ମଣିଷ ସମାଜ ପାଇଁ ବଡ଼ ଚାଲେଞ୍ଜ୍ ସୃଷ୍ଟି କରୁଛି ।

Latest Posts

Don't Miss