ଇରାନର ଇସଫାନ ବିମାନ ବନ୍ଦରରେ ଆକ୍ରମଣ, ତିନି ବିମାନବନ୍ଦରରୁ ଉଡାଣ ବାତିଲ

ତେହରାନ: ପୁଣି ମଧ୍ଯପ୍ରାଚ୍ୟରେ ଯୁଦ୍ଧର ପଦଧ୍ବନି। ଇସ୍ରାଏଲ ଉପରେ ଇରାନ ଆକ୍ରମଣର ଜବାବ ଦେଲା ଇସ୍ରାଏଲ। ଇରାନର ବିଭିନ୍ନ ବିମାନ ବନ୍ଦର ଉପରେ ହମଲା କରିଛି ଇସ୍ରାଏଲ। ସେପଟେ ଆକ୍ରମଣର ପ୍ରତିରୋଧ ଲାଗି ନିଜର ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରିଛି ଇରାନ। ଦୁଇ ରାଷ୍ଟ୍ର ମଧ୍ଯରେ ଉତ୍ତେଜନା ହ୍ରାସ ଲାଗି ଅନ୍ତର୍ଜାତୀୟ ସ୍ତରରେ ଚାଲିଛି ଉଦ୍ଯମ। ଇରାନର ଇସଫାନ ବିମାନ ବନ୍ଦର ଉପରେ ଆଜି ସକାଳୁ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।
ବିମାନ ବନ୍ଦରରେ ପ୍ରଚଣ୍ଡ ଶବ୍ଦ ଶୁଭିବା ସହ କିଛି କ୍ଷୟକ୍ଷତି ଘଟିଛି। ଗତ ସପ୍ତାହରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ଜବାବର ପ୍ରତ୍ୟୁତ୍ତର ଦେଇଛି ଇସ୍ରାଏଲ। ବଡ଼କଥା ହେଉଛି ଇରାନର ଇସଫାନ ଅଞ୍ଚଳରେ ନାତାଞ୍ଜ ଆଣବିକ କାରଖାନା ସମେତ ଆଉ କେତେକ ଆଣବିକ ପ୍ଲାଣ୍ଟ ଥିବାରୁ ଏହି ଆକ୍ରମଣକୁ ନେଇ ବଢ଼ିଛି ଚିନ୍ତା। ତେବେ ଇସ୍ରାଏଲର ଅନେକ ଡ୍ରୋନକୁ ଖସାଇଦିଆଯାଇଛି ବୋଲି ଦାବି କରିଛି ଇରାନ। ଆକ୍ରମଣ ପରେ ଇରାନରେ ବଦଳିଛି ବିଭିନ୍ନ ବିମାନର ଗତିପଥ।
ତେହରାନ, ଇସଫାନା, ସିରାଜ ବିମାନବନ୍ଦରରୁ ବିମାନ ଉଡାଣ ବାତିଲ କରାଯାଇଛି। ସେପଟେ ସମସ୍ତ ଆଣବିକ କେନ୍ଦ୍ର ସୁରକ୍ଷିତ ଥିବା ଇରାନ ଦାବି କରିଛି। ଗତ ଏପ୍ରିଲ ୧୩ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ। ଆକ୍ରମଣରେ ୩ଶହରୁ ଅଧିକ ଡ୍ରୋନ ଓ କ୍ଷେପଣାସ୍ତ୍ର ବ୍ଯବହୃତ ହୋଇଥିଲେ ବି ୯୯ ପ୍ରତିଶତ ଅସ୍ତ୍ରକୁ ନଷ୍ଟ କରିଥିଲା ଇସ୍ରାଏଲ। ଇସ୍ରାଏଲକୁ ଆକ୍ରମଣରୁ ନିବୃତ୍ତ ରଖିବା ଲାଗି ଜାତିସଂଘ ନିକଟରେ ଦାବି କରିଥିଲା ଇରାନ।