ଶ୍ରୀରାମ ମୟ ରାଉରକେଲା । ଆରମ୍ଭ ହେଲା ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ଯାତ୍ରା । ସବୁ ଜିଲ୍ଲାରେ ପରିକ୍ରମା ପରେ ୨୨ରେ ଯିବ ଅଯୋଧ୍ୟା । ଧନୁଷ ସହ ୩ ଫୁଟର ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିର ହେବ ପ୍ରାଣ ପ୍ରତିଷ୍ଠା । ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମାଣ ହୋଇଛି ୨୮୬ କେଜି ଓଜନର ସ୍ବର୍ଣ୍ଣ କୋଦଣ୍ଡ ଧନୁଷ । ରାଉରକେଲା ହନୁମାନ ବାଟିକାରୁ ଏହାର ଆରମ୍ଭ ହୋଇଛି ଶୋଭାଯାତ୍ରା । ଏକ ଆଧ୍ଯାତ୍ମିକ ପରିବେଶରେ ହଜାର ହଜାର ଲୋକଙ୍କ ଗହଣରେ ଧନୁଷକୁ ଧରି ସହର ପରିକ୍ରମା କରିଛନ୍ତି ମଞ୍ଚର ସଦସ୍ୟ । ଓଡିଶାର ସମସ୍ତ ଜିଲ୍ଲା ଗସ୍ତ କରିବା ସହ ଝାଡ଼ଖଣ୍ଡ, ବିହାର, ଛତିଶଗଡ, ଉତ୍ତରପ୍ରଦେଶ ହୋଇ ଜାନୁଆରୀ ୨୨ ତାରିଖରେ ପହଞ୍ଚିବ ଅଯୋଧ୍ୟା । ଶ୍ରୀରାମଙ୍କ ମନ୍ଦିରରେ ଏହି କୋଦଣ୍ଡ ଧନୁଷ ସହ ଶ୍ରୀଜଗନ୍ନାଥଙ୍କ ହେବ ପ୍ରାଣ ପ୍ରତିଷ୍ଠା ।
ତାମିଲନାଡୁର କାଞ୍ଚିପୁରମର ୪୦ ଜଣ ମହିଳା କାରିଗର ଏହାକୁ ନିର୍ମାଣ କରିଛନ୍ତି । ଏଥିରେ କପର, ଜିଙ୍କ, ଆଇରନ, ରୁପା ଏବଂ ୯୮୬ ଗ୍ରାମ ସୁନା ବ୍ୟବହାର କରାଯାଇଛି । ଧନୁର ଲମ୍ବ ୮ ଫୁଟ ଥିବାବେଳେ ଚଉଡ଼ା ରହିଛି ସାଢେ ୩ ଫୁଟ । କାର୍ଗିଲ ଯୁଦ୍ଧ ଠାରୁ ଅପରେସନ ସିନ୍ଦୁରରେ ସହିଦ ହୋଇଥିବା ୧୭ ଶହ ୫୦ ଯବାନଙ୍କ ନାମ ଏଥିରେ ଖୋଦେଇ ହୋଇଛି । ଧନୁଷକୁ ପ୍ରତି ଜିଲ୍ଲାର ପ୍ରମୁଖ ସ୍କୁଲ ଓ କଲେଜ ପରିକ୍ରମା କରି ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ମହାସଚିବ ଚମ୍ପତ ରାୟଙ୍କୁ ଅର୍ପଣ କରାଯିବ । କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ୟାନ୍ତ ଗୌତମ, ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ, ବାବା କାଳିଦାସ ମହାରାଜ ଓ ପୁର୍ବତନ ବିଧାୟକ ସୁବ୍ରତ ତରାଇଙ୍କ ସହ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

