ଆଜିଠୁ ପୁଣି ରାଜ୍ୟରେ ବର୍ଷା , ୪ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର : ଆଜିଠୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା । ପଶ୍ଚିମାଝଡ଼ ପ୍ରଭାବରେ ଭିଜିବ ସାରା ଓଡ଼ିଶା । ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୁରଭଞ୍ଜ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ । ତେବେ କାଲିଠୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଏଥିପାଇଁ ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

କାଲି କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବ । ସେହିଭଳି କୁଆପଥର ବୃଷ୍ଟି ନେଇ ୪ଟି ଜିଲ୍ଲା ବାଲେଶ୍ବର, ମୟୁରଭଞ୍ଜ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି । ୨୮ ତାରିଖରେ କାଳବୈଶାଖୀ ବର୍ଷା ନେଇ ଉତ୍ତର ଉପକୂଳ ଓଡ଼ିଶାର ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୯ ଏବଂ ୩୦ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ୩୦ ତାରିଖରେ ଆସୁଛି ଆଉ ଏକ ପଶ୍ଚିମା ଝଡ । ଏହାପ୍ରଭାବରେ ଏପ୍ରିଲ ପ୍ରଥମ ସପ୍ତାହରେ ବି ବର୍ଷା ହେବା ସହ ତାପମାତ୍ରା କମ୍ ରହିବ ବୋଲି ଆକଳନ କରାଯାଇଛି ।