ଆକ୍ରମଣ, ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ମୋବାଇଲ ଛଡାଇନେବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ମାମଲା

ଖୋର୍ଦ୍ଧା: ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ମାମଲା । ସାମ୍ବାଦିକଙ୍କୁ ଆକ୍ରମଣ, ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ମୋବାଇଲ ଛଡାଇନେବା ଘଟଣାରେ ରୁଜୁ ହୋଇଛି ମାମଲା । ନିଜେ ସାମ୍ବାଦିକ ଥାନାରେ ଦେଇଛନ୍ତି ଏଫଆଇଆର । ଟାଙ୍ଗୀ ବ୍ଲକ ଛଣଗିରି ଗ୍ରାମବାସୀ ପ୍ରଶାନ୍ତ ଜଗଦ୍ଦେବ ଓ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ତୀବ୍ର ବିରୋଧ କରିଥିଲେ । ଏହି ସମୟରେ ସାମ୍ବାଦିକ ପ୍ରକାଶ କୁମାର ହାତୀ ଖବର ସଂଗ୍ରହ ପାଇଁ ନିଜ ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରୁଥିଲେ । ଏତିକି ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସାମ୍ବାଦିକ ପ୍ରକାଶ କୁମାର ହାତୀଙ୍କୁ ଆକ୍ରମଣ କରିବା ସହ ଗାଳି ଗୁଲଜ କରିଥିଲେ । ସମ୍ବାଦିକ ଦେଖେଇ ହେଉଛୁ କହି ଧକ୍କା ମାରିଥିଲେ ପ୍ରଶାନ୍ତ ଜଗଦ୍ଦେବ । ପରେ ପ୍ରକାଶଙ୍କ ହାତରୁ ମୋବାଇଲ ଛଡାଇ ନେଇ ଫୋପାଡି ଦେଇଥିବା ଏତଲାରେ ଅଭିଯୋଗ କରିଛନ୍ତି ପ୍ରକାଶ । ଏହି ଆକ୍ରମଣରେ ତାଙ୍କ ବେକ, ପିଠି ଓ ଡାହାଣ ଗୋଡରେ ଆଘାତ ଲାଗିଥିବା ସେ ଅଭିଯୋଗ କରିଛନ୍ତି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବା ଧମକ , ଆକ୍ରମଣ ଓ ମୋବାଇଲ ଟାଣି ଫୋପାଡି ଦେବା କେତେଦୂର ଠିକ ବୋଲି ପ୍ରଶ୍ନ କରିଛନ୍ତି ପ୍ରକାଶ । ଘଟଣାର ଉପଯୁକ୍ତ ତଦନ୍ତ ସହ ପ୍ରଶାନ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପ୍ରକାଶ। ୨୦୨୧ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ବିଜେପି କର୍ମୀଙ୍କୁ ଆକ୍ରମଣ ଓ କାର୍ଯ୍ୟରତ ସାମ୍ବାଦିକଙ୍କ ଠାରୁ ମୋବାଇଲ ଛଡାଇବା ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦେବ ଦଳରୁ ନିଲମ୍ବିତ ହୋଇଥିଲେ। ଏହି ମାମଲା ନ୍ୟାଳୟରେ ବିଚାରଧିନ ରହିଛି । ସେହିଭଳି ୨୦୨୨ ମାର୍ଚ୍ଚ ୧୨ ତାରିଖରେ ବାଣପୁରରେ ଲୋକଙ୍କ ଉପରେ ଗାଡି ଚଢାଇବା ଘଟଣାରେ ବିଧାୟକ ଜେଲଦଣ୍ଡ ଭୋଗିଥିଲେ । ଏହି ଘଟଣାରେ ରୁଜୁ ହୋଇଥିବା ମାମାଲା ମଧ୍ୟ ନ୍ୟାୟାଳୟରେ ବିଚାରଧିନ ରହିଛି ।