ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଠିକ ପୂର୍ବରୁ ଦିଦି ଦେଲେ ନିମନ୍ତ୍ରଣ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ନିମନ୍ତ୍ରଣ । ଜୁନ ୧୫ରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ମମତା ବିରୋଧୀ ଦଳ ନେତାଙ୍କୁ ଭେଟିବାକୁ ଯୋଜନା କରିଛନ୍ତି ।
ଟିଏମସି ସୁପ୍ରିମୋ ମମତା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ବିଜେଡି), ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (ଟିଆରଏସ) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (ଶିବସେନା) ଙ୍କ ସମେତ ୨୨ ନେତାଙ୍କୁ ଚିଠି ଲେଖିଛନ୍ତି ।
2021ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିପୁଳ ବିଜୟ ପରେ ଜାତୀୟ ସ୍ତରରେ ମୋଦିଙ୍କୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛନ୍ତି ଦିଦି । ଦିଲ୍ଲୀ ଗସ୍ତ କରି ଭାଜପା ପ୍ରାର୍ଥୀଙ୍କ ବିରୁଦ୍ଧରେ ସର୍ବସମ୍ମତି କ୍ରମେ ବିରୋଧୀ ପ୍ରାର୍ଥୀ ଛିଡା କରିବା ଉଦ୍ଦେଶ୍ୟରେ ମମତା ଏହି ବୈଠକ ଡାକିଛନ୍ତି ।
ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ୨୧ରେ ଗଣତି ହେବ । ଆସନ୍ତା ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ ।

