ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ସରକାରଙ୍କ ନିଜସ୍ବ ବାଘ ଗଣନା ସରିବା ପରେ ଆସନ୍ତା ମେ ମାସରୁ ହେବ ରାଜ୍ୟ ସରକାରଙ୍କ ନିଜସ୍ଵ କଲରାପତରିଆ ବାଘ ଗଣନା । ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର । ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟାକୁ ନେଇ ଏନଟିସିଏ ରିପୋର୍ଟ ସହ ଏକମତ ହୋଇପାରିନି ବନ ବିଭାଗ । ସେଥିପାଇଁ ନିଜସ୍ବ ଗଣନା କରିବାକୁ ନିଷ୍ପତି ନେଇଛନ୍ତି ସରକାର ।
ଆସନ୍ତା ମେ ମାସରୁ ରାଜ୍ଯରେ ଲିଓପାର୍ଡ ସେନସସ। ଏକ ସଙ୍ଗେ ହେବ ହାତୀ ଗଣନା ଓ କଲରାପତରିଆ ବାଘ ଗଣନା। ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, NTCA ରିପୋର୍ଟକୁ ତର୍ଜମା କରାଯାଉଛି । ତେବେ ସେଥିରେ ଥିବା କିଛି ତ୍ରୁଟିକୁ ରାଜ୍ଯ ସ୍ତରରେ ସଂଶୋଧନ କରାଯିବ। ପ୍ରଥମତଃ ଏହା NTCAର ଏକ ଆକଳନ ରିପୋର୍ଟ । ଦ୍ଵିତୀୟରେ ୨୦୨୨ରେ ସେମାନେ ମାତ୍ର ୩ଟି ସ୍ଥାନରେ କ୍ୟାମେରା ଟ୍ରାପ୍ ଲଗାଇଥିଲେ । ତେବେ ୨୦୧୮ ଆକଳନ ବେଳେ ୧୪ ଜାଗାରେ କ୍ୟାମେରା ଲାଗିଥିଲା, ଯେଉଁଥିରୁ ସେମାନେ ୭୬୦ କଲରାପତରିଆ ଥିବା ଜାଣିବାକୁ ପାଇଥିଲେ । ୨୦୨୨ରେ ଶିମିଳିପାଳ ଓ ସାତକୋଶିଆରେ କଲରାପତରିଆ ସଂଖ୍ୟା ବଢ଼ିଥିବା ରାଜ୍ୟ ପାଇଁ ଖୁସି ଖବର । କ୍ୟାମେରା ଜରିଆରେ NTCA କଳରପତରିଆ ଆକଳନ ରିପୋର୍ଟ ଗ୍ରହଣୀୟ, କିନ୍ତୁ ସେମାନେ ବହୁତ କମ ଅଞ୍ଚଳ କ୍ୟାମେରା କଭର କରିଥିବାରୁ ଆକଳନ ନେଇ ସହମତ ହୋଇପାରିନାହିଁ ବନ ବିଭାଗ।
ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ – NTCAର ସଦ୍ୟତମ ଷ୍ଟାଟସ୍ ଅଫ ଲିଓପାର୍ଡସ୍ ଇନ୍ ଇଣ୍ଡିଆ ୨୦୨୨ ରିପୋର୍ଟ ପ୍ରକାଶିତ ହୋଇଛି। ରିପୋର୍ଟ କହୁଛି, ୨୦୧୮ ଗଣନା ଅନୁସାରେ ଓଡ଼ିଶା ଜଙ୍ଗଲରେ ୭୬୦ଟି କଲରାପତରିଆ ବାଘ ଥିଲେ । ୨୦୨୨ରେ ଏହି ସଂଖ୍ୟା ୫୬୮କୁ ଖସିଆସିଛି । ତେବେ ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ୨୦୧୮ରେ ୧୨ ହଜାର ୮୫୨ ତୁଳନାରେ ୨୦୨୨ରେ ୧୩ ହଜାର ୮୭୪କୁ ବୃଦ୍ଧି ଘଟିଛି । ସେଣ୍ଟ୍ରାଲ ଇଣ୍ଡିଆ ଆଣ୍ଡ ଇଷ୍ଟର୍ଣ୍ଣ ଘାଟସ୍ ଲ୍ୟାଣ୍ଡସ୍କେପରେ ଓଡ଼ିଶା ସମେତ ଛତିଶଗଡ ଓ ତେଲଙ୍ଗାନାରେ ବାଘ ସଂଖ୍ୟା ଖସିବା ନେଇ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି । ତେବେ ଏହି ରିପୋର୍ଟକୁ ନେଇ ବନ ବିଭାଗର ଭିନ୍ନମତ ଥିବା ବେଳେ ଏନଟିସିଏର ଗଣନା ପଦ୍ଧତିକୁ ଠିକ୍ ବୋଲି କହିଛନ୍ତି ବ୍ୟାଘ୍ର ବିଶେଷଜ୍ଞ ତଥା ଏନଟିସିଏର ପୂର୍ବତନ ଅଧିକାରୀ । କଲରାପତରିଆ ବାଘ ଜଙ୍ଗଲରେ ଖାଦ୍ଯଶୃଙ୍ଖଳକୁ ବଜାୟ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବାରୁ ଏମାନଙ୍କ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବା ଜରୁରୀ ।

