ସରକାରୀ ଡାକ୍ତରଖାନାରେ ବନ୍ଧ୍ୟାକରଣ ହେଲେ ମିଳିବ କ୍ଷତିପୂରଣ
ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ମହିଳା ଗର୍ଭବତୀ ଘଟଣାରେ ମହିଳାଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି । ଆବେଦନକାରୀ ମହିଳାଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ଓ ୨୦ ହଜାର ଟଙ୍କା କଷ୍ଟ ବାବଦରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ଅର୍ଥ ତିନି ସପ୍ତାହ ଭିତରେ ପ୍ରଦାନ କରିବାକୁ ସରକାରଙ୍କୁ ହାଇକୋର୍ଟ କହିଛନ୍ତି । ଏଥି ସହିତ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ଜନ୍ମ ନେଇଥିବା ଶିଶୁର ମଙ୍ଗଳ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ହାଇକୋର୍ଟ ପରାମର୍ଶ ଦେଇଛନ୍ତି ।
ଆବେଦନକାରୀ ମହିଳାଙ୍କ ୨୦୧୪, ଜାନୁଆରୀ ୨ରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାରର ୨୪୮ ଦିନ ପରେ ମହିଳା ଗୋଟିଏ ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ମହିଳା ଏ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା । କ୍ଷତିପୂରଣ ମଧ୍ୟ ମିଳି ନଥିଲା । ଏହାପରେ ସେ କ୍ଷତିପୂରଣ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
