ନନ୍ଦିଘୋଷ ବ୍ୟୁରୋ: ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା । ବିରଳ ସାମୁଦ୍ରିକ ପ୍ରଜାତିର ଅଲିଭ ରିଡଲେଙ୍କ ଆଗମନ ପାଇଁ ଏହି କଟକଣା ଜାରି ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନାସିରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା । ଆଜିଠୁ ଆସନ୍ତାବର୍ଷ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ ଆସିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଅସ୍ତରଙ୍ଗର ଦେବୀ ମୁହାଣର ଉତ୍ତର ପାର୍ଶ୍ଵ ୧୦ କିଲୋମିଟର ଓ ଦକ୍ଷିଣ ପାର୍ଶ୍ୱ ୧୦ କିଲୋମିଟର ପରିମିତ ସ୍ଥାନ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏହି ସ୍ଥାନରେ ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ମାଛଧରା ନିଷେଧ ଅଞ୍ଚଳରେ ଟ୍ରଲର ନିୟମ ଭଙ୍ଗ କଲେ ଟ୍ରଲର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।। କଇଁଛଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଅସ୍ତରଙ୍ଗ ବନ ବିଭାଗ ତରଫରୁ ହାଚେରୀ କରାଯାଇଛି । ଗଙ୍ଗାଦେବୀ, ଦେବୀନାସି, ଡ଼ାଳୁଅକଣି ଓ ଜାହାନିଆ ହାଚେରୀ କରାଯାଇଛି । ଏହି ସମୟରେ ମାଛ ଧରା ଉପରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସାମୁଦ୍ରିକ ଥାନା ପୋଲିସ ଓ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ ।

