ରାଜ୍ୟରେ ଟିକାକରଣ ପ୍ରସଙ୍ଗ; ଧର୍ମେନ୍ଦ୍ର କହିଲେ ଓଡିଶାରେ ଅଭାବ ନାହିଁ ଟିକା

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଣୁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ କରୋନା ଟିକା ଦେବା ଉଚିତ୍ । ଆଜି ଏହି ଦାବି କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର ପାତରଅନ୍ତର ନକରି ଏ ଦିଗରେ ଉଚିତ୍ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ଅମର ଶତପଥୀ । କେନ୍ଦ୍ର ସରକାରଙ୍କ କହିବା ଅନୁସାରେ ଟିକାର ଅଭାବ ନାହିଁ, ଏଣୁ ଆଗୁଆ ପ୍ଲାନିଂ କରି ଟିକା ଦେବା ପାଇଁ କେନ୍ଦ୍ର ସରକାର ଯୋଜନା କରନ୍ତୁ ବୋଲି କହିଛନ୍ତି ଅମର ଶତପଥୀ ।

କେନ୍ଦ୍ର ସରକାର ପାତରଅନ୍ତର ନକରି ଓଡ଼ିଶାକୁ ଟିକା ବିତରଣରେ ସହଯୋଗ କରନ୍ତୁ । ରାଜ୍ୟ ସରକାର ପ୍ରତ୍ୟେକ ଦିନ ୨ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୧୫ ଦିନ ଆଗୁଆ ଟିକା ପହଞ୍ଚାଇବା ପାଇଁ ଦାବି କରାଯାଇଛି । ସେପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି, ଦେଶରେ କିମ୍ବା ଓଡିଶାରେ ଟିକାର କୈାଣସି ଅଭାବ ନାହିଁ । ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା ଟ୍ୱିଟରେ କହିଛନ୍ତି ।

ରାଜ୍ୟରେ ପର୍ଯ୍ୟାପ୍ତ ଟିକା ମହଜୁଦ ରହୁନଥିବାରୁ ୧୫ ଦିନ ପାଇଁ ଟିକାକରଣ କରିବାକୁ ରାଜ୍ୟ ପ୍ରସ୍ତୁତି କରିପାରୁନଥିବା ନେଇ କହିଥିଲେ ମୁଖ୍ୟ ଶାସନ ସଚିବ । ଅନ୍ୟ ରାଜ୍ୟ ଗୁଡିକ ଦିନକୁ ୩ଲକ୍ଷ ଟିକାକରଣ କରୁଛନ୍ତି । ସେମାନଙ୍କ ପର୍ଯ୍ୟାପ୍ତ ଟିକା ମିଳୁଥିବାରୁ ଟିକାକରଣ ଲକ୍ଷ୍ୟ ହାସଲ କରିପାରୁଛନ୍ତି । ଓଡିଶା ଦିନକୁ ୨ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିବାରୁ ତୁରନ୍ତ ଟିକା ଯୋଗାଇବାକୁ ଚିଠିରେ ଅନୁରୋଧ କରିଥିଲେ ମୁଖ୍ୟ ଶାସନ ସଚିବ ।

Leave a Reply