ନନ୍ଦିଘୋଷ ବ୍ୟୁରୋ: ରାତି ଅଧରେ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଉଜୁଡିଗଲା ୪ ପରିବାର । ଏକ ଭୟାନକ ଦୁର୍ଘଟଣା ଛଡାଇନେଲା ସବୁ ଖୁସି । ଦିଲ୍ଲୀର ମଙ୍ଗୋଲପୁରୀ ଶିଳ୍ପାଞ୍ଚଳରେ ଘଟିଥିଲା ଏହି ଦୁର୍ଘଟଣା । ସୁଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ସାଢେ ୧ଟା ସମୟରେ ମଙ୍ଗୋଲପୁରୀ ଶିଳ୍ପାଞ୍ଚଳ ଫେଜ୍-୧ ରେ ଥିବା ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଫଳରେ କାରଖାନା ଭିତରେ ଥିବା ଅନେକ ଶ୍ରମିକ ଧୂଆଁ ଏବଂ ନିଆଁ ଭିତରେ ଫସି ଯାଇଥିଲେ । ଖବର ପାଇ ପୋଲିସ ଏବଂ ଅଗ୍ନିଶ୍ରମ ବାହୀନି ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାପରେ ଛଅ ଜଣଙ୍କୁ ଅଚେତ ଅବସ୍ଥାରେ ବାହାର କରାଯାଇଥିଲା । ସଭିଙ୍କୁ ତୁରନ୍ତ ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲକୁ ପଠାଯାଇଥିଲା । ହେଲେ ହସ୍ପିଟାଲରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ଆହତଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।
ଅଗ୍ନିଶ୍ରମ ଅଧିକାରୀଙ୍କ କହିବାନୁଯାୟୀ, ପ୍ରଥମେ କାରଖାନାର ବେସେମେଣ୍ଟରେ ନିଆଁ ଲାଗି ଯାଇଥିଲା । ଆଉ ଆଖି ପିଛୁଳାକେ ନିଆଁ ଏବଂ ଧୂଆଁ ଉପର ମହଲାକୁ ବ୍ୟାପି ଯାଇଥିଲା । ଯାହାଫଳରେ ଭିତରେ ଥିବା ଶ୍ରମିକମାନେ ଆଉ ବାହାରକୁ ବାହାରି ପାରିନଥିଲେ । ପ୍ରବଳ ଧୂଆଁ ଯୋଗୁଁ ଶ୍ରମିକମାନେ ଭିତରେ ଫସି ରହିଥିଲେ । ଏହି ସମୟରେ ତୃତୀୟ ମହଲା ସିଢିରୁ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଚତୁର୍ଥ ମହଲାରୁ ଅନ୍ୟ ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ବେଳେ କୁଲିଂ ଅପରେସନ୍ ଜାରି ରହିଛି ।
ସେପଟେ ନିଆଁ କେଉଁ ଭଳି ପରିସ୍ଥିତିରେ ଲାଗିଲା ତାର ତଦନ୍ତ ଆରମ୍ଭ ହୋଇଛି । ପୋଲିସ କାରଖାନା ମାଲିକଙ୍କୁ ପଚରାଉଚରା ପାଇଁ ଡକାଇଛି । ସେହିଭଳି ଘଟଣା ସମୟରେ କାରଖାନାରେ ମୋଟ କେତେ ଶ୍ରମିକ ଉପସ୍ଥିତ ଥିଲେ, ତାହା ନିର୍ଣ୍ଣୟ କରିବା ପାଇଁ ଠିକାଦାର ଏବଂ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ପ୍ରାଥିମିକ ତଦନ୍ତରୁ ଏହା ଜଣାପଡିଛି ଯେ, ପ୍ରଥମେ ବେସମେଣ୍ଟରେ ନିଆଁ ଲାଗିଥିଲା ଏବଂ ସମଗ୍ର କୋଠା ଧୂଆଁମୟ ହୋଇଯାଇଥିଲା । ତେବେ ସର୍ଟ-ସର୍କିଟ କିମ୍ବା ସୁରକ୍ଷା ମାନଦଣ୍ଡରେ ଅବହେଳା କାରଣରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

