ଦିଲ୍ଲୀ: ରାଗିଗଲେ AIMIM ମୁଖ୍ୟ ଅସଦୁଦ୍ଦୀନ ୱବେସୀ । କହିଲେ ‘ମୋ ବିରୁଦ୍ଧରେ ଦାଏର ହୋଇଥିବା FIR କପିରେ ଉଲ୍ଲେଖ ନାହିଁ ମୋ ଅପରାଧ’ । ଏହି ମାମଲା ପାଇଁ ଆଦୌ ଭୟଭୀତ ନୁହେଁ ବରଂ ଓକିଲଙ୍କ ପରାମର୍ଶ ନେଇ ସମାଧାନ କରିବି । ଅଭଦ୍ର ଭାଷାର ଆଲୋଚନା ଓ ଅଭଦ୍ର ଭାଷାର ବ୍ୟବହାର କରିବା ମଧ୍ୟରେ ପାର୍ଥକ୍ୟ ରହିଥିବା ଟ୍ବିଟ କରି ଜଣାଇଛନ୍ତି ୱବେସୀ ।
ସେ ଆହୁରି ଏକ ଟ୍ବିଟ କରି ଦିଲ୍ଲୀ ପୋଲିସ ଉପରେ ବର୍ଷିଛନ୍ତି । ସନ୍ଥ ଯତି ନରସିଂହାନନ୍ଦ, ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୁଦ୍ଧରେ ରୁଜୁ ମାମଲାର ତଦନ୍ତ କରିବା ପାଇଁ ଦିଲ୍ଲୀ ପୋଲିସ ପାଖରେ ସାହାସ ନାହିଁ । ମୁସଲମାନଙ୍କ ବିରୋଧରେ ନରସଂହାରକୁ ଉସକାଇବା ଓ ଇସଲାମକୁ ଅପମାନ କରି ନିଜ ଜାମିନ ସର୍ତ୍ତକୁ ଯତି ବାରମ୍ବାର ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଦିଲ୍ଲୀ ପୋଲିସ ଉଭୟ ପକ୍ଷବାଦ ବା ସନ୍ତୁଳନ ବାଦ ସିଣ୍ଡ୍ରୋମରେ ପୀଡିତ ଥିବା କ୍ଷୋଭ ପ୍ରକାଶ କରିଛନ୍ତି ୱବେସୀ ।
ବିଜେପିର ପୂର୍ବତନ ପ୍ରବକ୍ତା ନୂପୁର ଶର୍ମା, ନବୀନ ଜିନ୍ଦଲ, ବିବାଦିତ ସନ୍ଥ ଯତି ନରସିଂହାନନ୍ଦଙ୍କ ସହ AIMIM ମୁଖ୍ୟ ଅସଦୁଦ୍ଦୀନ ୱବେସୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଭାରତୀୟ ଦଣ୍ଡ ସଂହିତାର ଧାରା ୧୫୩ (ଜାଣିଶୁଣି ଦଙ୍ଗା ପାଇଁ ଉସୁକାଇବା), ୨୯୫ (କୌଣସି ଧର୍ମକୁ ଅପମାନ କରିବା ଉଦ୍ଦେଶ୍ୟରେ ପ୍ରାର୍ଥନା ସ୍ଥଳକୁ ଅପମାନ) ଏବଂ ୫୦୫ (ସାର୍ବଜନିକ ସ୍ଥାନରେ ଅପ୍ରିତିକର ବୟାନ) ଆଦି ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି ।

