ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର କୋଟାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଆହତ । ସମସ୍ତଙ୍କ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାର ତାଙ୍କର ଚିକିତ୍ସା ଚାଲିଛି । ମଧ୍ୟପ୍ରଦେଶରୁ ଯାତ୍ରୀମାନଙ୍କୁ ନେଇ ଜୟପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍ ସିମାଲିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନିୟନ୍ତ୍ରଣ ହରାଇ ଗାଡିଟି ଡିଭାଇଡର ଭାଙ୍ଗି ୨୦ ଫୁଟ ତଳକୁ ଏକ ଷ୍ଟର୍ମ ଡ୍ରେନ୍ ଭିତରକୁ ଖସିପଡ଼ିଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।କରାଡିଆ ଟୋଲ୍ ପ୍ଲାଜା ପାର ହେବା ପରେ ସୁଲତାନପୁର ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା ।
ପ୍ରାଥମିକ ସୂଚନା ଅନୁଯାୟୀ, ଯାତ୍ରା ସମୟରେ ନିଦ ଲାଗିବା ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦ୍ରୁତ ଗତି ଯୋଗୁଁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ଯାତ୍ରୀ ସିଧାସଳଖ ଏକ କଲଭର୍ଟରେ ଖସିପଡ଼ିଲେ । ଧକ୍କା ଏତେ ଜୋରରେ ଥିଲା ଯେ ଗାଡ଼ିର ଆଗ ଭାଗ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ସକାଳ ପ୍ରାୟ ୬ଟା ସମୟରେ ଘଟିଥିଲା ଏହି ଦୁର୍ଘଟଣା । ଘଟଣା ସମ୍ପର୍କରେ ସୁଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଯାଇଥିଲେ । କିନ୍ତୁ ଡ୍ରେନରେ ମାଟି ଏବଂ ପାଣି ଭରି ରହିଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । କ୍ଷତିଗ୍ରସ୍ତ ବସ୍ କୁ ବାହାର କରିବାକୁ ଏବଂ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ କ୍ରେନ୍ ର ବ୍ୟବହାର କରାଯାଇଥିଲା । ବସ୍ ରେ ମୋଟ୍ ୨୭ ଜଣ ଯାତ୍ରୀ ରହିଥିବା କୁହାଯାଉଛି ।

