ବାଲେଶ୍ଵର: ଆନ୍ତଃରାଜ୍ୟ ମାଫିଆଙ୍କ କବଜାରେ ନଦୀପଠା ! ସକାଳୁ ସଂଧ୍ୟା ଯାଏଁ ମୟୂରଭଞ୍ଜର ଲାଇଫଲାଇନ ବୁଢ଼ାବଳଙ୍ଗ ନଦୀ ଗର୍ଭରୁ ଚାଲିଛି ସୁନା ଲୁଟ୍ । ବାହାର ରାଜ୍ୟର ଶ୍ରମିକମାନେ ଆସି ନଦୀର ବାଲି ଛାଣି ସୁନା ସଂଗ୍ରହ କରୁଛନ୍ତି । ଏହା ପଛରେ ଆନ୍ତଃରାଜ୍ୟ ମାଫିଆ ଗ୍ୟାଙ୍ଗ ସକ୍ରିୟ ଥିବା ଅଭିଯୋଗ ହେଉଥିବା ବେଳେ ପ୍ରଶାସନର ଭୂମିକା ଉପରେ ଉଠିଛି ପ୍ରଶ୍ନବାଚୀ । ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ସିନ୍ଦୂରଗୌରୀ ପଞ୍ଚାୟତ ଗୁମୁଡ଼ି ଗ୍ରାମ ନଦୀପଠା ଏବେ ବେଆଇନ ଖନନର କେନ୍ଦ୍ରସ୍ଥଳୀ ପାଲଟିଛି । ପ୍ରତିଦିନ ପଶ୍ଚିମବଙ୍ଗ, ଝାଡଖଣ୍ଡ, ମୟୂରଭଞ୍ଜର ଶୀର୍ଷା ଓ ସାରସକଣା ଅଞ୍ଚଳରୁ ଶହ ଶହ ଲୋକ ଆସି ନଦୀରୁ ବାଲି ଛାଣି ସୁନା ସଂଗ୍ରହ କରୁଛନ୍ତି । ଦୈନିକ ଏଠାରୁ ବିପୁଳ ପରିମାଣର ସୁନା ଲୁଟ୍ ହେଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ବୁଢ଼ାବଳଙ୍ଗ ନଦୀ ଶିମିଳିପାଳରୁ ବାହାରିଥିବା ବେଳେ ଏହା ପ୍ରି-କାମ୍ବ୍ରିଆନ ଆଇରନ ଓର ସୁପରଗ୍ରୁପ୍ ଏବଂ ଛୋଟନାଗପୁର ଗ୍ରାନାଇଟ ଅଞ୍ଚଳରେ ଅବସ୍ଥିତ । ନଦୀର ଉତ୍ସସ୍ଥଳରୁ ଶିଳା ଧୀରେ ଧୀରେ ଭାଙ୍ଗି ପାଣିରେ ଭାସି ଆସେ । ସୁନା କିମ୍ବା ଅନ୍ୟାନ୍ୟ ଭାରୀ ଖଣିଜ ଧାତୁର ସାନ୍ଦ୍ରତା ଅଧିକ ଥିବାରୁ ଏହା ଗୋଟିଏ ସ୍ଥାନରେ ଜମା ହୋଇ ରହିଯାଏ । ଯାହାକୁ ‘ପ୍ଲେସର ଡିପୋଜିଟ’ କୁହାଯାଏ । ନିକଟରେ ଶିମିଳିପାଳରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଏହି ଧାତୁ ଗୁଡ଼ିକ ଭାସି ଆସି ଜମା ହୋଇ ଥାଇପାରେ । ତେବେ ଏହା କେବଳ ସୁନା ନା ଅନ୍ୟ କୌଣସି ମୂଲ୍ୟବାନ ଖଣିଜ ? ତାହା ଭୂତାତ୍ତ୍ୱିକ ସର୍ଭେ ପରେ ହିଁ ସ୍ପଷ୍ଟ ହେବ ।
ତେବେ ବାହାର ରାଜ୍ୟରୁ ଏତେ ସଂଖ୍ୟକ ଶ୍ରମିକଙ୍କୁ ଗାଡ଼ି ଯୋଗେ ଆଣୁଛି କିଏ ? କାହାର ଛତ୍ରଛାୟା ତଳେ ବୁଢ଼ାବଳଙ୍ଗ ନଦୀରୁ ପ୍ରାକୃତିକ ସମ୍ପଦ ଲୁଣ୍ଠନ ଚାଲିଛି ? ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ । ପରିସ୍ଥିତି ଅଣାୟତ୍ତ କିମ୍ବା କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଗରୁ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

