ବିଧାୟକ ପିନ୍ଧିଲେ ସମ୍ବଲପୁରୀ ଡ୍ରେସ୍: ପିନ୍ଧମା ସମଲପୁରୀ, ଖାଏମା ସମଲପୁରୀ

ଭୁବନେଶ୍ୱର: ସମ୍ବଲପୁରୀ ଦିନ୍‌ ପାଇଁ ବିଧାନସଭାରେ ଦେଖିବାକୁ ମିଳିଥିଲା ସମ୍ବଲପୁରୀ ଝଲକ । ପିନ୍ଧମା ସମଲପୁରୀ, ଖାଏମା ସମଲପୁରୀ, ଗାଏମା ସମଲପୁରୀ । ଏଭଳି ମନୋଭାବ ନେଇ ବିଧାନସଭାକୁ ଆସିଥିଲେ ବିଧାୟକ ଓ ମନ୍ତ୍ରୀ । ସମ୍ବଲପୁରୀ ଦିନ୍ ପାଇଁ ବିଧାୟକଙ୍କ ଏହି ପୋଷାକ ଆକର୍ଷଣ ପାଲଟିଥିଲା । କେବଳ ପଶ୍ଚିମାଞ୍ଚଳର ବିଧାୟକ ନୁହନ୍ତି, ପୂର୍ବ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଧାୟକମାନେ ମଧ୍ୟ ସମ୍ବଲପୁରୀ ପୋଷାକ ପିନ୍ଧି ବିଧାନସଭାକୁ ଆସିଥିଲେ ।

ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଭଳି ଅନେକ ନେତା ମଧ୍ୟ ସମ୍ବଲପୁରୀ ପୋଷାକ ପିନ୍ଧି ଗୃହକୁ ଆସିଥିଲେ । ସମ୍ବଲପୁରୀ ଭାଷା, ସାହିତ୍ୟ,କଳା ସଂସ୍କୃତିର ରହିଛି ସ୍ବତନ୍ତ୍ରତା, ତାହା ବିଧାୟକମାନେ ପ୍ରତିପାଦନ କରିଥିଲେ । ମନ୍ତ୍ରୀ ରୀତା ସାହୁ, ଟୁକୁନି ସାହୁ ସମ୍ବଲପୁରୀ ଦିବସ ପାଇଁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ବିଜେପି ବିଧାୟିକା କୁସୁମ ଟେଟେ ଡାଲଖାଇ ଗୀତ ଗାଇଥିଲେ ।