ନନ୍ଦିଘୋଷ ବ୍ୟୁରୋ: ଆଜି ଗଞ୍ଜାମର ବନ୍ୟାଞ୍ଚଳ ପରିଦର୍ଶନ କରିବ ବିଜେଡି ପ୍ରତିନିଧି ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଟିମ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ । ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ RDC ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବ ଟିମ୍ । ପରେ ପ୍ରତିନିଧି ଦଳ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଏକ ରିପୋର୍ଟ ଦେବ। ଏହି ଦୁର୍ଦ୍ଦିନରେ ଲୋକଙ୍କ ସହିତ ରହିବାକୁ ଓ ସେମାନଙ୍କ ସେବା କରିବାକୁ ବିଜେଡି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଆଜି ଟିମ ପ୍ରଥମେ ଚିକିଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାପରେ ୯ଟା ୩୦ରେ ପାଟପୁରରେ ସ୍ଥିତି ପରଖି ଥିବା ବେଳେ, ୧୨ଟାରେ ହିଞ୍ଜିଳି ଓ ଶେରଗଡ଼, ୨ଟା ୩୦ରେ ଆସିକା, ୪ଟା ୩୦ରେ ପୁରୁଷୋତ୍ତମପୁରରେ ସ୍ଥିତି ସମୀକ୍ଷା କରିବେ । ଏହାପରେ ୬ଟା ୩୦ରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ଯକ୍ରମ ରହିଛି । ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଗଞ୍ଜାମ ଯାଇଛନ୍ତି । ଏହି ପ୍ରତିନିଧି ଦଳରେ ଅଛନ୍ତି ପ୍ରତାପ ଜେନା, ଟୁକୁନି ସାହୁ, ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚନ୍ଦ୍ରଶେଖର ସାହୁ, ଭୃଗୁ ବକ୍ସିପାତ୍ର, ଚିନ୍ମୟ ସାହୁ, ରଂଜିତା ସାହୁ ଓ ସଂଘମିତ୍ରା ଦଳେଇ । ଏହି ପ୍ରତିନିଧି ଦଳ ଆଜି ଗଞ୍ଜାମ ଗସ୍ତ କରି ବିପନ୍ନଙ୍କୁ ଭେଟି କ୍ଷୟକ୍ଷତିର ଆକଳନ କରିବ । ଗତକାଲି ଜିଲ୍ଲାର ବନ୍ୟ। ସ୍ଥିତି ସମ୍ପର୍କରେ ଜିଲ୍ଲପାଳଙ୍କ ସହ କଥା ହୋଇଥିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

