ପ୍ରେମିକା ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ

1 min read

ବ୍ରହ୍ମଗିରି: ପ୍ରେମିକା ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ । ଘଟଣାକୁ ତୀବ୍ର ଉତ୍ତେଜନା । ଝିଅଘରେ ପୁଅଘର ଲୋକଙ୍କ ବ୍ୟାପକ ଭଙ୍ଗାରୁଜା, ମାରପିଟ । ସୂର୍ଯ୍ୟକାନ୍ତ ବିଶ୍ଵାଳଙ୍କ ମୃତ୍ୟୁକୁ ନେଇ ସାହୁପଡ଼ା ଗାଁରେ ଏଭଳି ଘଟଣା ଘଟିଛି । ତାଙ୍କୁ ଝିଅଘର ଲୋକ ହତ୍ୟା କରିଥିବା ପୁଅଘର ଲୋକ ଅଭିଯୋଗ ଆଣି ଭଙ୍ଗାରୁଜା କରିଛନ୍ତି । ଘଟଣାରେ ଝିଅଘରର ୬ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ଘଟଣା ଅନୁଯାୟୀ, ସାହୁପଡ଼ା ଗାଁର ସୂର୍ଯ୍ୟକାନ୍ତ ବିଶ୍ଵାଳଙ୍କ ସହ ସେହି ଗାଁର ଜଣେ ଯୁବତୀଙ୍କର ପ୍ରେମ ସମ୍ପର୍କ ଥିଲା ।

ସମ୍ପୃକ୍ତ ଯୁବତୀଙ୍କୁ ଦେଖା କରିବା ପାଇଁ ଗତକାଲି ବିଳମ୍ବିତ ରାତିରେ ଯାଇଥିଲେ ସୂର୍ଯ୍ୟକାନ୍ତ । ହେଲେ ଏହି ସମୟରେ ଯୁବତୀଙ୍କ ପରିବାର ଲୋକ ସୂର୍ଯ୍ୟକାନ୍ତଙ୍କୁ କାବୁ କରି ନେଇଥିଲେ । ପୁଅ ନଫେରିବାରୁ ରାତିରେ ଖୋଜିବାକୁ ଯାଇଥିଲେ ବାପା । ଏହି ସମୟରେ ଝିଅ ଘରେ ସୂର୍ଯ୍ୟକାନ୍ତଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ । ଏହାକୁ ନେଇ ଝିଅର ପରିବାର ଏବଂ ସୂର୍ଯ୍ୟକାନ୍ତଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଏନେଇ ସୂର୍ଯ୍ୟକାନ୍ତଙ୍କ ପରିବାର ଲୋକ ଥାନାକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ପୋଲିସ । ସୂର୍ଯ୍ୟକାନ୍ତଙ୍କ କେମିତି ମୃତ୍ୟୁ ହେଲା ? ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାକୁ ନେଇ ଗାଁରେ ପ୍ରକାଶ ପାଇଛି ତୀବ୍ର ଉତ୍ତେଜନା । ସେପଟେ ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁକୁ ଗାଁରେ ଭିନ୍ନଭିନ୍ନ କଥା ଶୁଣିବାକୁ ମିଳୁଛି।

[DISPLAY_ULTIMATE_SOCIAL_ICONS]