ଭୁବନେଶ୍ୱର: ଭିତରେ ଗୋଟେ କଥା, ବାହାରେ ଆଉ ଏକ କଥା । ସ୍ପଷ୍ଟ ନାହିଁ ଆଭିମୁଖ୍ୟ, ଠିକ ନାହିଁ କଥାବାର୍ତ୍ତା । ପୁଣି ଥରେ ସାମନାକୁ ଆସିଛି ବିଜେପିର ଦୋମୁହାଁ ନୀତି । ବିଭିନ୍ନ ସ୍ଥାନରେ ଭିନ୍ନ ରୂପ ଦେଖାଇଛନ୍ତି ଦଳୀୟ ନେତା । ଗୋଟିଏ ପଟେ ବିକ୍ଷୋଭ ଆଳରେ ପୋଲିସ ଉପରକୁ ଅଣ୍ଡାମାଡ଼ କରୁଥିବା ବେଳେ, ଅନ୍ୟପଟେ କଂଗ୍ରେସର ଅଣ୍ଡାମାଡ଼ ଘଟଣାକୁ ନିନ୍ଦା କରିଛି ଭାରତୀୟ ଜନତା ପାର୍ଟି । ରବିବାର କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଓଡ଼ିଶା ଗସ୍ତ କରିଥିବାବେଳେ କଂଗ୍ରେସ କର୍ମୀ କଳାପତାକା ଦେଖାଇବା ସହ ଅଣ୍ଡାମାଡ଼ କରିଥିଲେ ।
କଂଗ୍ରେସର ଅଣ୍ଡାମାଡ଼କୁ ନିନ୍ଦା କରିବା ସହ ଅସହିଷ୍ଣୁ ରାଜନୀତି ବୋଲି କହିଛନ୍ତି ଦଳୀୟ ନେତା ଦିଲ୍ଲୀପ ମହାନ୍ତି । କଂଗ୍ରେସର ଅହଙ୍କାର ବଢିଛି, ଦଳର ଶୃଙ୍ଖଳା ନଥିବା କହିଛନ୍ତି ବିଜେପି ନେତା । କିନ୍ତୁ ଦିନକ ଆଗରୁ ବ୍ରହ୍ମପୁରରେ ବିଜେପି ଏସପି ଅଫିସ ଘେରାଉ ଆଳରେ ହିଂସା ଘଟାଇଥିଲେ ବିଜେପି କର୍ମକର୍ତ୍ତା । ବିଜେପି ନେତା ଓ କର୍ମୀଙ୍କ ଜୋରଜବରଦସ୍ତ ଏସପି ଅଫିସରେ ଧସେଇ ପସିଥିଲେ । ବିଜେପି କର୍ମୀଙ୍କ ଅଣ୍ଡା ଓ ଟମାଟୋ ମାଡ଼ରେ ଏସଡିପିଓ, ଆଇଆଇସି ଏବଂ ଦୁଇ ଜଣ କନେଷ୍ଟବଳ ଆହତ ହୋଇଥିଲେ ।
ତେବେ ଖୋଦ ଦଳ ହିଂସା ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଆକ୍ରମଣ କରିବାରେ ପଛାଉ ନାହାଁନ୍ତି । ଗଣନ୍ତ୍ରାତିକ ପଦ୍ଧତିରେ ବିରୋଧ କରିବା ପରିବର୍ତ୍ତେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛନ୍ତି ବିଜେପି ଦଳର କର୍ମକର୍ତ୍ତା । ତେବେ ନିଜେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଦଳ, ଆଉ ଏକ ଧଳର ବିରୋଧ ପ୍ରଦର୍ଶନକୁ ନିନ୍ଦା କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

