ଭୁବନେଶ୍ୱର: ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ପୁଣି ଥରେ ଦ୍ୱନ୍ଦ୍ୱ ଉପୁଜିଛି । କାରଣ ଫେବୃଆରୀ ୨୮ ତାରିଖରୁ ଖୋଲିବାକୁ ଥିବା ପ୍ରଥମରୁ ସପ୍ତମ ଶ୍ରେଣୀ ବିଭିନ୍ନ କାରଣରୁ ଖୋଲିନପାରେ । ସେହିପରି ଦଶମ ଓ ଦ୍ୱାଦଶ ପରୀକ୍ଷା କରିବା ନିଷ୍ପତ୍ତି ସଂପୃକ୍ତ ବୋର୍ଡ ଉପରେ ସୁପ୍ରିମକୋର୍ଟ ଛାଡ଼ିବାରୁ, ଅଫଲାଇନ୍ ପରୀକ୍ଷାର ସମ୍ଭାବନା ବଢିଛି । ଏପରିକି କିଛି ରାଜ୍ୟରେ ଅଫଲାଇନ୍ ବୋର୍ଡ ପରୀକ୍ଷା ଆରମ୍ଭ ବି ହୋଇସାରିଛି ।
ଅଫଲାଇନ ପରୀକ୍ଷାର ଆଶା ସଞ୍ଚାର ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ସନ୍ତୋଷ ପ୍ରକାଶ ପାଇଛି । କାରଣ ବିଗତ ଦୁଇ ବର୍ଷରେ କରୋନା ଯୋଗୁ ପରୀକ୍ଷା ହୋଇପାରି ନଥିଲା । ମାର୍କିଂ ପଦ୍ଧତିରେ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷା ପରିଚାଳନା ପାଇଁ ଆସନ୍ତାକାଲି ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ମାଧ୍ୟମିକ ଶିକ୍ଷା ବୋର୍ଡ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ ।
ସେପଟେ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ବୟସ ସୀମା ୬ ବର୍ଷ ରହିଛି । ଗତକାଲି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ୫ ବର୍ଷରୁ ଆଡମିଶନ ଲାଗି ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହେଉଥିଲେ । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଉତ୍କଳ ଅଭିଭାବକ ସଂଘ । ମହାମାରୀ ସମୟରେ କେବଳ ଚଳିତ ବର୍ଷ ଲାଗି ୫ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଆଡମିଶନ କରିବା ଦାବିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଛି ସଂଘ ।

