ପାରାଦୀପ, (ଅରୁଣ କୁମାର ଓଝା): ପାରାଦୀପ ଷଣ୍ଢକୁଦ ବସ୍ତିରେ ଶିଶୁ ବଳି ଉଦ୍ୟମ ଅଭିଯୋଗ । ୨୫ ଟଙ୍କାର ଲୋଭ ଦେଖାଇ ନାବାଳକକୁ ବଳି ଉଦ୍ୟମ । ନଦୀ କୂଳରେ ପୂଜା କରୁଥିବା ବେଳେ ଶିଶୁଟିର ବାପା ପହଞ୍ଚି ଯିବାରୁ ଶିଶୁଟି ବଞ୍ଚିଯାଇଛି । ଘଟଣା ନେଇ ଶିଶୁର ବାପା ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଗୁଣିଆ ଜୟନ୍ତ ପଣ୍ଡାକୁ ପୋଲିସ ଅଟକ ରଖିଛି । ଏଥିସହ ଘଟଣାରେ ସଂପୃକ୍ତ ୨ ମହିଳାଙ୍କୁ ପଚରାଉଚରା କରୁଛି ।

ପାରାଦୀପ ଷଣ୍ଢକୁଦ ବସ୍ତିରେ ଚାଞ୍ଚଲ୍ୟ । ଟଙ୍କା ଲୋଭ ଦେଖାଇ ବାଳକକୁ ବଳି ଉଦ୍ୟମ । ଅଳ୍ପକେ ବର୍ତ୍ତିଲା ବାଳକ । ମରଣ ମୁହଁରୁ ଫେରିଥିବା ପୁଅକୁ ପାଇ ବାପା-ମା’ ଆଶ୍ୱସ୍ତ । ସୂଚନା ଅନୁସାରେ ବିଶ୍ୱରଞ୍ଜନ ମଣ୍ଡଳ ନାମକ ବାଳକଟି ଖେଳୁଥିବାବେଳେ ଟଙ୍କା ଲୋଭ ଦେଖାଇ ତାକୁ ନଦୀରୁ ପାଣି ଉଠାଇବାକୁ ଡାକି ନେଇଥିଲେ କିଛି ମହିଳା । ବାଳକକୁ ଉଲଗ୍ନ କରି ଫୁଲମାଳ ପିନ୍ଧାଇ ଓ ସିନ୍ଦୂର ଲଗାଇ ପୂଜା କରିଥିଲେ । ସୌଭାଗ୍ୟ ବଶତଃ ପିଲାଟିର ବାପା ପହଞ୍ଚି ପୁଅକୁ ଉଦ୍ଧାର କରିଛନ୍ତି ।

ଘଟଣାକୁ ସ୍ଥାନୀୟ ମୁରବିଙ୍କ ଦ୍ୱାରା ସମାଧାନ କରିବା ପାଇଁ ଚେଷ୍ଟା କରାଯାଇଥିଲା । ପ୍ରୟାସ ବିଫଳ ହେବା ପରେ ଏବେ ଥାନାରେ ପହଞ୍ଚିଛି ମାମଲା । ଅଭିଯୁକ୍ତ ଗୁଣିଆ ଜୟନ୍ତ ପଣ୍ଡା ସମେତ ୨ଜଣ ମହିଳାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସେପଟେ ଅଭିଯୋଗକୁ ଗୁଣିଆ ଓ ମହିଳା ଅସ୍ବୀକାର କରିଛନ୍ତି । ବଳି ନୁହେଁ ରୋଗରୁ ମୁକ୍ତି ପାଇଁ ପୂଜା କରୁଥିଲୁ ବୋଲି ସେମାନେ କହିଛନ୍ତି । ପୋଲିସ ଘଟଣାସ୍ଥଳରୁ ବ୍ୟବହୃତ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷର ମୁଣ୍ଡ ନେବାକୁ ମଣିଷ ପଛାଉନି । ନିକଟରେ ଯାଜପୁର କଳିଙ୍ଗନଗର ଥାନା ସୁରୀସାହିରେ ଗୁଣିଆ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଜୀଅନ୍ତା ପୋଡି ହତ୍ୟା କରାଯାଇଥିଲା ।

ମାଲକାନଗିରିର ଏମଭି ୬ ଗାଁରେ ଦୀର୍ଘ ଦିନରୁ ଅସୁସ୍ଥ ଥିବା ଜଣେ ମହିଳାଙ୍କ ଶରୀରରେ ଡାହାଣୀ ସବାର ହେଉଥିବା କହି ନିସ୍ତୁକ ମାଡ଼ ମାରିବା ସହ ଘୁଷୁରୀ ବିଷ୍ଠା ଖୁଆଇଥିଲେ ଗୁଣିଆ । ଏବେ ପାରାଦୀପରେ ବାଳକଟି ଅଳ୍ପକେ ବଳିରୁ ବର୍ତ୍ତି ଯାଇଛି ।
https://www.facebook.com/NandighoshaTV/videos/734320290741353/

