() ପାର୍ବଣରେ ପରିବା ଦରରେ ଲାଗିଛି ନିଆଁ । ୫ଶହ ଟଙ୍କାରେ ବି ବ୍ୟାଗ ପୁରୁନି । କେମିତି ପୁରିବ ପେଟ, ସେଥିପାଇଁ ଖାଉଟିଙ୍କ ମୁଣ୍ଡ ଉପରେ ପଡିଛି ଚଡକ । ପାର୍ବଣ ଋତୁରେ ଖାଇବାରୁ ପିନ୍ଧିବା ଯାଏଁ ସବୁଠି ଦର ଉପରମୁହାଁ । ଏହାରି ଭିତରେ ହାଣ୍ଡିଶାଳ ଉପରେ ଏବେ ବଡିଛି ଚାପ । ପରିବା ଦର ଆକାଶଛୁଆଁ ହୋଇଥିବାରୁ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ମାସିକ ବଜେଟ ବିଗିଡି ଗଲାଣି । ଗ୍ୟାସ, ରାସନ ସହ ପରିବା ଦର ଖାଉଟିଙ୍କ ଚିନ୍ତା ବଢାଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର, କୁଣ୍ଢେଇ, ନୟାହାଟ, କୋଣାର୍କ ଅଞ୍ଚଳରେ ଲୋକେ ବ୍ୟାଗ ଧରିବାକୁ ଡରୁଛନ୍ତି । ଆଉ ରାଜଧାନୀ ଭୁବନେଶ୍ବର କଥା ତ ନକହିବା ଭଲ । ବିନ୍ସ କିଲୋ ୧୦୦ ଟଙ୍କା, ବାଇଗଣ ୮୦ ଟଙ୍କା, ଟମାଟୋ ୫୦ ଟଙ୍କା, ପୋଟଳ ୮୦ ଟଙ୍କା, ଭେଣ୍ଡି ୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ, ଯହ୍ନି ୭୦ ଟଙ୍କା, କାକୁଡି ୮୦ ଟଙ୍କା, କଲରା ୮୦ ଟଙ୍କା, ଝୁଡଙ୍ଗ ୬୦ ଟଙ୍କା, ଦେଶୀ ଆଳୁ ୮୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ବନ୍ଧା କୋବି କିଲୋ ୪୦ ଟଙ୍କା, ଫୁଲକୋବି ଗୋଟା ୫୦ ଟଙ୍କା, ଭଣ୍ଡା ୩୦, କଖାରୁ ୨୦ ଟଙ୍କା ରହିଛି । ୬୦ ଟଙ୍କା ତଳେ ଗୋଟିଏ ବି ପରିବା ନାହିଁ । ୫୦୦ ଟଙ୍କା ନେଇ ବଜାରକୁ ଗଲେ ବି ବ୍ୟାଗ ଭର୍ତ୍ତି ପରିବା କିଣି ହେଉନାହିଁ । ଏଭଳି ଦର ବୃଦ୍ଧି ଯୋଗୁଁ ରୋଷେଇ ଘରୁ ଏକାଧିକ ପରିବା ଗାଏବ ହେଲାଣି ।
ଏନେଇ ବ୍ୟବସାୟୀଙ୍କ କହିବା କଥା ଯେ, ଉତ୍ପାଦନ କମ୍ ଥିବାବେଳେ ଚାହିଦା ଅଧିକ ରହୁଛି । ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି । ଆଉ ପାର୍ବଣ ସମୟରେ ଚାହିଦା ଦୁଇ ଗୁଣା ଥିବାରୁ ଦର ବଢୁଛି । ସେପଟେ ଆଗକୁ କାର୍ତ୍ତିକ ମାସ ଆସୁଛି । ତେଣୁ ପରିବା ଦର ଆହୁରି ବଢିପାରେ ବୋଲି ଆଶଙ୍କା ବଢିଛି । ଗୋଟେ ପଟେ ରାସନ ସାମଗ୍ରୀ, ଗ୍ରୋସରୀ ଦର ବି ହୁ ହୁ ବଢୁଛି, ଆଉ ଏବେ ପରିବା ଦର ମଧ୍ୟବିତ୍ତଙ୍କ ବୋଝ ଉପରେ ନଳିତା ବିଡା ସାଜିଛି । ତେଣୁ ସରକାର ବଜାର ଦର ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲୋକେ ।

