ନନ୍ଦିଘୋଷ ବ୍ୟୁରୋ: ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ପୀଠ ସୁବର୍ଣ୍ଣପୁର । ରାଜା ରାଜୁଡା ଅମଳରୁ ଶାକ୍ତ ପରମ୍ପରାରେ ପାଳିତ ହୋଇଆସୁଛି ବଳି ଯାତ୍ରା । ନଅ ପ୍ରକାର ବଳି ପାଳନ କରାଯାଇ ପୂର୍ଣ୍ଣମୀ ତିଥିରେ ଶେଷ ହୋଇଥାଏ ଏହି ନିଆରା ଯାତ୍ରା । ଆଶ୍ବିନ ଅମାବାସ୍ୟାରୁ ପୂର୍ଣ୍ଣମୀ ଯାଏଁ ତନ୍ତ୍ର ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରକୁ ଆଧାର କରି ଏହି ବଳି ପର୍ବ ପାଳନ ହୋଇଥାଏ। ଆଉ ବଳି ଭିତରେ ମହାବଳି ପର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୩୬ ପାଟକ ବା ସମ୍ପ୍ରଦାୟର ଲୋକେ ନିୟୋଜିତ ହୋଇଥାନ୍ତି ମହାବଳିଙ୍କ ସେବାରେ । ଏଠାରେ ବଳି କହିଲେ ସମର୍ପଣ ବା ଉତ୍ସର୍ଗକୁ ବୁଝାଇଥାଏ । ସ୍ଥାନୀୟ ଖମ୍ବେଶ୍ବରୀ ମନ୍ଦିରରେ ଧୁମ ଧାମରେ ପାଳିତ ହୋଇଛି ବଳି ଯାତ୍ରା । ଏହି ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ବରୁଆକୁ ଅରୁଆ ଚାଉଳରେ ତିଆରି ଯନ୍ତ୍ରରେ ଯନ୍ତ୍ରାରୁଢ କରି ମନ୍ତ୍ରପୂତ କରିବା ପରେ ଦୈବୀଶକ୍ତି ପ୍ରକଟିତ ହୁଏ । ଖଉଳ ଗାତର ମାଟି ବରୁଆର ନାଭି ମଣ୍ଡଳରେ ଦେଇ ପୁରୋହିତ ମହାବଳୀ କାର୍ଯ୍ୟ ଆରମ୍ଭ କରିଥାନ୍ତି । ବାଦ୍ୟର ତାଳେ ତାଳେ ମହାବଳୀ ନୃତ୍ୟ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ହାତରେ କଳା ଧଳା ଛତ୍ର ଧରି ଚେପଟା ଢୋଲରେ ଛିଡା ହୋଇ ଦହି ଦହନାରେ ମହମହ ବାସୁଥିବା ବରୁଆର ଚୁଳବନ୍ଧା କାର୍ଯ୍ୟରେ ସମାପିତ ହୋଇଥାଏ ମହାନବମୀ ବଳୀ ।
କାହିଁ କେଉଁ ଆବାହମାନ କାଳରୁ ଏଠାରେ ପାଳିତ ହୋଇଆସୁଛି ମହାବଳୀ ଯାତ୍ରା । ହଜାର ହଜାର ବର୍ଷର ଏହି ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛନ୍ତି ସୁବର୍ଣ୍ଣପୁରବାସୀ ।

