ଭୁବନେଶ୍ୱର : ଜୁନ ୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଶତ ପ୍ରତିଶତ ବିଜୟ ଲାଭ କରିବ। ବିଜେଡି ସାଂସଦ ମମତା ମହାନ୍ତ ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ୨୫ ବର୍ଷ ଧରି ବିକଶିତ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମ କରୁଛନ୍ତି । କେନ୍ଦ୍ର ବିଜେପି ସରକାର ବୈମାତୃକ ମନୋଭାବ ଦେଖାଉଛନ୍ତି। ଏହା ବିରୋଧରେ ବିଜେଡିର ସଂଗ୍ରାମ ଜାରି ରହିବ। ଅନ୍ୟ ରାଜ୍ୟ ପରି ଓଡ଼ିଶାକୁ ଆଗକୁ ନେବା ପାଇଁ ବିଜୁ ପଟ୍ଟନାୟକ ଦାବି କରୁଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ରେ ଦିଲ୍ଲୀ ରାମଲୀଳା ମୈଦାନରେ ଜନସମାବେଶ କରିଥିଲେ। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବେ ବୋଲି ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ କହିଥିଲା। ହେଲେ ଗତ ୯ ବର୍ଷ ଧରି କୌଣସି ପଦକ୍ଷେପ ନେଲାନି। ଓଡ଼ିଶାର ଚାଷୀଙ୍କୁ କେନ୍ଦ୍ର ଧୋକା ଦେଇଛି। ଏମଏସପି ୨୯୩୦ ଟଙ୍କା ହୋଇପାରିଲାନି। ଓଡ଼ିଶା ସରକାରଙ୍କ ସଫଳ କୃଷିନୀତି ଓ ଚାଷୀଙ୍କ ପରିଶ୍ରମ ଯୋଗୁ ଧାନ ଉତ୍ପାଦନରେ ଓଡ଼ିଶା ଏବେ ଚତୁର୍ଥ। ଏଫସିଆଇ ବଳକା ଚାଉଳ ସଂଗ୍ରହ ନକରିବାରୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ହଇରାଣ ହେଉଛନ୍ତି। ୮୦ ଲକ୍ଷ ଚାଷୀଙ୍କ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବୀମା ପ୍ରିମିୟମ ଦେଉଛନ୍ତି। ହେଲେ କେନ୍ଦ୍ର ବୀମା କମ୍ପାନୀଙ୍କ ପାଇଁ କାମ କରୁଛି।
ସେହିପରି ଓଡ଼ିଶାରୁ କୋଇଲା ନେଇ ମାଲାମାଲ ହେଉଛି କେନ୍ଦ୍ର। ଓଡ଼ିଶାକୁ ଉଚିତ ରୟାଲଟି ଦେଉନାହିଁ। କୋଟି କୋଟି ଟଙ୍କା ରାଜସ୍ୱ ହରାଉଛି ଓଡ଼ିଶା। କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖୁଛନ୍ତି। ହେଲେ କେନ୍ଦ୍ର ଧୋକା ଦେଇ ଚାଲିଛି। ଟ୍ରେନ, ଟେଲିଫୋନ, ଇଣ୍ଟରନେଟ ସେବାରେ ଓଡ଼ିଶା ପଛୁଆ। କେନ୍ଦ୍ରର ପାତରଅନ୍ତର ନୀତି ଯୋଗୁ ବ୍ୟାଙ୍କିଙ୍ଗ ସେବା ବିଭିନ୍ନ ଗାଁରେ ନାହିଁ। ଦରଦାମ ବଢ଼ି ଚାଲିଛି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ଯାସ ଦର ବହୁତ ବଢିଛି। କେନ୍ଦ୍ରର ଉଜ୍ଜ୍ବଳା ଯୋଜନା ଅନ୍ଧାରୀ ଯୋଜନା ହୋଇଛି । ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ମିଳିଲା ନାହିଁ। ମହାନଦୀ ପ୍ରସଙ୍ଗରେ ଓଡ଼ିଶାକୁ ଅଣଦେଖା କରି ଛତିଶଗଡ଼କୁ ସମର୍ଥନ କଲା କେନ୍ଦ୍ର। ଓଡ଼ିଶା ଚାଷୀ ପାଣି ପାଇଲେ ନାହିଁ। ଓଡ଼ିଶାର ବିକାଶ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇଛି। ଜୁନ ୧ ତାରିଖ ନିର୍ବାଚନରେ ଅଶେଷ ଅଶେଷ ଆଶୀର୍ବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିବ। ସେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେଡି ସାଂସଦ ମମତା ମହାନ୍ତ ଦୃଢ଼ତାର ସହ କହିଛନ୍ତି।

