ଦରଲୀପାଲିରେ ହାତୀ ଆତଙ୍କ, ଚାଷୀକୁ ଦଳିଦେଲା ଦନ୍ତା

1 min read

ବଲାଙ୍ଗୀର/ବରଗଡ଼ : ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧିନ ଭରସୁଜା ନିକଟ ଦରଲୀପାଲିରେ ହାତୀ ଆତଙ୍କ । ଚାଷ ପାଇଁ ବିଲକୁ ଯାଇଥିବା ଚାଷୀକୁ ଦଳିଦେଲା ଦନ୍ତା । ନରହନ୍ତା ଦନ୍ତା ଆକ୍ରମଣରେ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣକ ହେଲେ ଦରଳିପାଲି ଗାଁର ୫୫ ବର୍ଷୀୟ ବିରଞ୍ଚି ସାହୁ ।

ବୁଧବାର ସକାଳୁ ନିଜ ଜମିକୁ ବିରଞ୍ଚି ଆମ୍ବ ଗୋଟାଇବାକୁ ଯାଇଥିଲେ । ପୂର୍ବରୁ ଗାଇସିଲେଟ ଅଂଚଳରୁ ଆସିଥିବା ଏକ ଦନ୍ତାହାତୀ ହାବୁଡ଼ରେ ବିରଞ୍ଚି ପଡିଯାଇଥିଲେ । କିଛି ସମୟର ଛକାପଞ୍ଝା ଭିତରେ ଦନ୍ତା ବିରଞ୍ଚିକୁ କଚାଡିବା ସହ ଦଳି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିରଞ୍ଚି ଚାଷ କରିବା ସହିତ ରାଜମିସ୍ତ୍ରୀ ଭାବେ କାମ କରନ୍ତି ।

କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ସମେତ ମୃତକଙ୍କ ପରିବାର ଲୋକେ । ଘଟଣାସ୍ଥଳକୁ ବନ ବିଭାଗ ପହଞ୍ଚିନଥିବା ବେଳେ ଜମିରେ ମୃତଦେହ ପଡିରହିଛି । ବଲାଙ୍ଗୀର ଡ଼ିଏଫଓ ସମୀର ଶତପଥୀ କିମ୍ବା ଲୋଇସିଂହା ରେଞ୍ଜରଙ୍କ ସହ ଯୋଗାଯୋଗ ହୋଇପାରିନି ।

ସେହିପରି ବରଗଡ଼ରେ ରାଇସଲପଦର ପଞ୍ଚାୟତରେ ମଧ୍ୟ ଦନ୍ତା ଉତ୍ପାତ ମଚାଇଛି । ହାତୀ ଆକ୍ରମଣରେ ୨ଟି ଗାଁର ତିନି ଜଣଙ୍କର ମୃତ୍ୟୁ ହୋଇଛି । ଉମରାଡ଼ ଗାଁର ୨ଜଣ ଓ ନାଥପାଲି ଗାଁର ଜଣଙ୍କୁ ମାରିଦେଲା ଦନ୍ତା । ମୃତକ ମାନେ ହେଲେ ଶିବ ସେଟ୍, ମାଲ ସେଟ୍ ଓ ବିରଞ୍ଚି କୁମ୍ଭାର । ଶୌଚ ହେବା ପାଇଁ ଯାଇଥିବାବେଳେ ସମସ୍ତଙ୍କୁ ଆକ୍ରମଣ କରିଥିଲା ବଣୁଆ ହାତୀ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner