ଭୁବନେଶ୍ୱର: ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ନବୀନ। ଫୋକସରେ ତୃଣମୂଳ ସଂଗଠନ। ସରକାରଙ୍କ ବିରୋଧରେ ତ୍ବରିତ ହେବ ଜନଜାଗରଣ। ବିଧାୟକ କହିଲେ ଜନସେବା ହିଁ ବିଜେଡିର ମୂଳମନ୍ତ୍ର। ସଶକ୍ତ ବିରୋଧୀ ଦଳ ଭୂମିକାରେ ବିଜେଡି। ଲୋକଙ୍କ ସ୍ବର ସାଜି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଛି ଦଳ। କେତେବେଳେ ଦରଦାମକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ତ ଆଉ କେତେବେଳେ ଓବିସି ସଂରକ୍ଷଣ ନେଇ ସରକାର ବିରୋଧରେ ଜୋରଦାର ଲଢେଇ କରିଛି। ମହାନଦୀ, ପୋଲାଭରମ ପାଇଁ ବିଜେଡି ଗ୍ରାଉଣ୍ଡରୁ ବିଧାନସଭା ଯାଏଁ ହକ ମାଗିଛି। ୫୧ ଜଣ ବିଜେଡି ବିଧାୟକ ବିଧାନସଭାରୁ ନିର୍ବାଚନମଣ୍ଡଳି ଯାଏ ଲୋକଙ୍କ ସମସ୍ୟା ସରକାରଙ୍କ ସାମ୍ନାକୁ ଆଣି ସମାଧାନର ବାଟ ବାହାର କରିଛନ୍ତି। ଏହାରି ଭିତରେ ବିଜେପି ସରକାରକୁ ବର୍ଷେ ପୂରିଛି। ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପାଳନ କରିନାହିଁ। ବିଜେପି ସରକାର ଯାହା ପ୍ରତିଶୃତି ଦେଇଥିଲା ତାହା ପାଳନ କରିବାକୁ ସରକାରଙ୍କ ଉପରେ ଚାପ ପକାଇବାକୁ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ବିଜେଡି ବିଧାୟକମାନଙ୍କ ସହ ବୈଠକ କରି ଦେବେ ଗୁରୁମନ୍ତ୍ର ।
ବିଜେଡି ସଭାପତି ବାରମ୍ବାର ସଂଗଠନକୁ ନେଇ ବୈଠକ କରିବା ପରେ ତୃଣମୂଳରୁ ରାଜ୍ୟସ୍ତରରେ ବିଜେଡି ସଂଗଠନ କ୍ରିୟାଶୀଳ ହୋଇଛି। ୨୦୨୪ ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା କମିଥିଲେ ମଧ୍ୟ ବିଜେପି ଠାରୁ ବିଜେଡି ଅଧିକ ଭୋଟ ପାଇଛି। ବିଜେପି ସରକାର ବିଫଳତା ବିରୋଧରେ ଶାଣିତ ସ୍ବର ଉଠାଇବାକୁ ନବୀନ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ବିଜେଡି ଏବେଠାରୁ ପଂଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛି ।
୨୦୨୪ ନିର୍ବାଚନ ପରେ ୨୦୨୭ ପାଇଁ ବିଜେଡି ସଂଗଠନକୁ ନୂଆରୂପ ଦେଇ ତୃଣମୂଳ ସଂଗଠନକୁ ମଜଭୁତ କରିବାକୁ ଫୋକସ କରିଛି। ରାଜ୍ୟସ୍ତରୀୟ ଜନ ଜଗରଣ ଅଭିଯାନକୁ ତୃଣମୂଳସ୍ତରରେ ବିଧାୟକମାନେ କିପରି ଅଧିକ ତ୍ବରାନ୍ନିତ କରିବେ ତାହା ଉପରେ ବୈଠକରେ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରିବ ବିଜେଡି।

