ନନ୍ଦିଘୋଷ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନକୁ ନେଇ ସାରା ରାଜ୍ୟର ବିଭିନ୍ନ କଲେଜରେ ବିଶୃଙ୍ଖଳା ପରିସ୍ଥିତି ବଢି ବଢି ଚାଲିଥିବା ବେଳେ ଏବେ ଏହାକୁ ନେଇ ଜୋର ଧରିଛି ରାଜନୈତିକ ବୟାନବାଜି । ପ୍ରଥମେ ବିଜେଡି ଏହାକୁ ନେଇ ସ୍ବର ଉଠାଇଥିବା ବେଳେ ଏବେ କଂଗ୍ରେସ ମଧ୍ୟ ଏଥିରେ ସାମିଲ ହୋଇଛି । ପ୍ରେସମିଟ୍ କରି ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ କଂଗ୍ରେସ ।
କଂଗ୍ରେସ କହିଛି ଯେ, ଦୀପ ଲିଭିଲା ବେଳେ ଜୋର ଜଳେ । ସେହି ଅବସ୍ଥାରେ ଏବେ ବିଜେପି ପହଞ୍ଚିଯାଇଛି । ଓଡ଼ିଶାରେ ବିଭିନ୍ନ କଲେଜ ହଠାତ କାହିଁକି ଅଶାନ୍ତ ହେଲା ଏବଂ କ୍ୟାମ୍ପସ ନିର୍ବାଚନରେ କାହିଁକି ଶାସକ ଦଳର ନେତା ବୁଲୁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଗତ ମାସରେ ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିଲା ବର୍ତ୍ତମାନ ନିର୍ବାଚନ ହେଲେ ବିଜେପିର ୪୮ଜଣ ବିଧାୟକ ପରାଜିତ ହେବେ । ତେଣୁ ଏଥିରୁ ବଂଚିବା ପାଇଁ ଛାତ୍ର ସଂସଦ ନିର୍ବାଚନ କରିବାକୁ ରାତି ଅଧିଆ ନିଷ୍ପତ୍ତି ନେଲେ ବୋଲି ଅଭିଯୋଗ କରିଛି କଂଗ୍ରେସ । ହାରିବେ ବୋଲି ୨୦୬ କଲେଜରେ ନିର୍ବାଚନ ବନ୍ଦ କଲେ ସରକାର । କେବଳ ସେତିକି ନୁହେଁ, ଯେଉଁସବୁ କଲେଜରେ ଏବିଭିପିର ସଂଗଠନ ଅଛି,ସେଠି ବିଜେପି ନିର୍ବାଚନ କରୁଛି । ଛାତ୍ର ସଂସଦ ନିର୍ବାଚନରେ ବିଜେପି ଦାଦାଗିରି କରୁଛି ବୋଲି କଂଗ୍ରେସ କହିଛି । ସରକାର ନିୟମ କଲେ ଯେଉଁମାନଙ୍କର କଲେଜ ଆଇ-କାର୍ଡ ଥିବ ସେମାନେ କଲେଜ ପରିସରରେ ରହିବେ । ହେଲେ ଗେରୁଆ ଗାମୁଛା ଯେଉଁମାନେ ପକାଇଛନ୍ତି ସେମାନଙ୍କୁ ପୋଲିସ ଛାଡି ଦେଉଛି । ଏହା କି ପ୍ରକାର ନିୟମ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଚିଲର ଗୃପ କରି ବିଜେପି କର୍ମୀ ଗଣ୍ଡଗୋଳ ଆରମ୍ଭ କରିଦେଲେଣି । ଯେଉଁଠି ଶାସକ ଦଳର ପ୍ରାର୍ଥୀ ହାରିବେ ସେଠାରେ ଜାଣିଜାଣି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରୁଛନ୍ତି ସରକାର । କଲେଜ କ୍ୟାମ୍ପସକୁ ବୋମାମାଡ଼ର ପେଣ୍ଠସ୍ଥଳୀ କରିଛି ଶାସକ ଦଳ । ସେଥିପାଇଁ ବାଙ୍କୀ ରୁ ନର୍ଲା, ବାଲେଶ୍ୱରରୁ ବ୍ୟାସନଗର କଲେଜ ଯାଏ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଦିଆଯାଇଛି । ବିଜେପି କଳ, ବଳ କୌଶଳ ଲଗାଇ ଛାତ୍ର ସଂସଦ ନିର୍ବାଚନ ଜିତିବାକୁ ବିଜେପି ପ୍ରୟାସ କରୁଛି । ରମାଦେବୀ କଲେଜରେ ବାଲଟ ଏପଟ ସେପଟ କରିବା ତାର ଉଦାହରଣ । ଏଭଳି ସ୍ଥିତିରେ ଛାତ୍ର ନେତାମାନେ ନଡରି ନିର୍ବାଚନ ଲଢନ୍ତୁ ବୋଲି କଂଗ୍ରେସ ଆହ୍ବାନ ଦେଇଛି ।

