spot_img

Latest Posts

ଓଡିଆ ପୁଅର ଅଭିନବ ପ୍ରୟାସ, ସ୍ୱଦେଶୀ ଆପରେ ମେଣ୍ଚାଉଛନ୍ତି ଚାହିଦା

ଭୁବନେଶ୍ୱର: କିଏ ଜୀବନ ହରାଇଥିଲା ତ, ଆଉ କିଏ ଜୀବୀକା । ଲଡାଉନରେ ଲକ ହୋଇପଡିଥିବା ଲୋକେ ସଟଡାଉନରେ ଏକଦମ ସନ୍ତୁଳି ହୋଇପଡିଥିଲେ । ଚାକିରୀ ଯିବା ପରେ ଅନେକଙ୍କ ଘରେ ପଡିଥିଲା ଚାବି । କିନ୍ତୁ ଏପରି ଏକ ଦୁଃସ୍ଥିତିରେ ଦୁନିଆକୁ ଦିଶା ଦେଖାଇଛନ୍ତି ଜଣେ ଓଡିଆ ପୁଅ । ଚାକିରୀ ପଛରେ ଧାଇଁବାର ଚିରାଚରିତ ପ୍ରଥାରୁ ବାହାରି ନିଜକୁ ଛିଡା କରିବାର ପ୍ରଚେଷ୍ଟାରେ ରହିଥିଲେ ପ୍ରୟାସରତ । ଆଉ ନିଷ୍ଠାବାନ ଯୁବକ ଜଣଙ୍କ ହେଉଛନ୍ତି ପଳାଶୁଣୀ ଅଞ୍ଚଳର ଆଶୁତୋଷ ପାତ୍ର ।

ବିଶେଷକରି ଆଶୁତୋଷଙ୍କୁ ପ୍ରଭାବିତ କରିଥିଲା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ; ଲୋକାଲ ପର ଭୋକାଲ । ଏହି ନାରା ପରେ ଆଶୁତୋଷ ଏନେଇ ଦୁଇ ପାଦ ଆଗକୁ ବଢ଼ିଥିଲେ। ଗଢ଼ିଥିଲେ ତାସୁକେରୁ (ଜାପାନୀ ଭାଷାରେ ଅନ୍ୟକୁ ସାହାଯ୍ୟ କରିବା) ୱେବ୍‌ସାଇଟ ଏବଂ ମୋବାଇଲ ଆପ୍ । ବିଭିନ୍ନ ବିଦେଶୀ ଅନ୍‌ଲାଇନ ସଫି ଆପ୍ଲିକେସନରେ ଲୋକେ ଟଙ୍କା ଦେଇ ଜିନିଷ କିଣୁଥିବା ବେଳେ ଆଶୁତୋଷ ସଠିକ୍ ମୂଲ୍ୟରେ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମିଳୁଥିବା ପ୍ରସିଦ୍ଧ ଜିନିଷ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀକୁ ଉପଲବ୍ଧ କରାଇବା ଆରମ୍ଭ କରିଥିଲେ। ଆଶୁତୋଷଙ୍କ ଏହି ଛୋଟିଆ ପ୍ରୟାସ  ସଫଳତାର ପାହାଚ ଚଢୁଛି କହିଲେ ଚଳେ।

ପଳାଶୁଣୀ ଅଞ୍ଚଳର ଆଶୁତୋଷ ପାତ୍ର ଭୁବନେଶ୍ବର ସ୍ଥିତ ସିଆଇଏମଇରୁ ଏମସିଏ ପାଠ୍ୟକ୍ରମ ସାରିବା ପରେ ଭିନ୍ନ କିଛି କରିବାର ନିଶାରେ ଥିଲେ । ଚାକିରୀ ପଛରେ ଧାଇଁବାର ଚିରାଚରିତ ପ୍ରଥାରୁ ବାହାରି କିଛି  ଅଲଗା କରିବା ଏବଂ ତାହା ମାଧ୍ୟମରେ ଅନ୍ୟଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇବା ଆଶୁତୋଷଙ୍କ ମୂଳ ଲକ୍ଷ୍ୟ ଥିଲା । ତେବେ କରୋନା ଯୋଗୁଁ ଲଡାଉନ  ହେବା ପରେ ଲୋକମାନେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇବା ପାଇଁ ଯେପରି ଅସୁବିଧାର ସମ୍ମୁଖୀନ ହେଲେ ତାହା ଆଶୁତୋଷଙ୍କ ମନରେ ରେଖାଙ୍କିତ କରିଥିଲା ।  ଲୋକଙ୍କୁ ସଠିକ୍ ମୂଲ୍ୟରେ, ସ୍ଵଳ୍ପ ସମୟରେ  ଆବଶ୍ୟକୀୟ ଜିନିଷ ପହଞ୍ଚାଇବା ଲକ୍ଷ୍ୟ ନେଇ ଅଗଷ୍ଟ  ୧୫ ତାରିଖରେ ସେ ତାସୁକେରୁ ୱେବସାଇଟ୍ ଆରମ୍ଭ  କରିଥିଲେ ।

ନିଜେ ଏକାକୀ ଆରମ୍ଭ କରିଥିବା ଏହି  ୱେବସାଇଟ୍‌ରେ ବର୍ତ୍ତମାନ ୧୦ ଜଣ ଡେଲିଭରୀ ବୟ,  ୨ ଜଣ ମ୍ୟାନେଜର ୩ ଜଣ ଡିଜିଟାଲ ମାର୍କେଟର ଏବଂ  ଅନ୍ୟନ୍ୟ କର୍ମଚାରୀ ରହିଛନ୍ତି । ଭୁବନେଶ୍ୱରର ମିଠା ଯେପରିକି ପାହାଳ ରସଗୋଲା, ଲିଙ୍ଗରାଜ ଲସି, ବିଭିନ୍ନ ମନ୍ଦିରର ପ୍ରସାଦ, ଗ୍ରୋସରୀ ସାମଗ୍ରୀ, ଫଳ ପନିପରିବା, ଆମିଷ ଜିନିଷ ଏବଂ ପ୍ରସାଧନ ସାମଗ୍ରୀ ଯୋଗାଇ ଦିଆଯାଉଛି । ଉଲ୍ଲେଖନୀୟ କଥା ଏହିକି ଯେ ଏସବୁ ସାମଗ୍ରୀ ଅର୍ଡର କଲେ ଆପଣଙ୍କୁ କୌଣସି ଡେଲିଭରି ଚାର୍ଜ ଦେବାକୁ ପଡ଼ିବ ନାହିଁ । ୱେବସାଇଟ୍ ଆରମ୍ଭ ହେବା ଦିନରୁ ଏଯାବତ୍ ପ୍ରାୟ ୪୦୦୦ ଲୋକ ଅନ୍‌ଲାଇନରେ ବିଭିନ୍ନ ଜିନିଷ କିଣିସାରିଲେଣି ।

ତେବେ ଲଡାଉନ ସମୟରେ ସାଧାରଣ ପରିବା ଚାଷୀମାନେ ସେମାନଙ୍କ ଉତ୍ପାଦିତ ପନିପରିବା ବିକ୍ରି ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କଠାରୁ ସିଧାସଳଖ ଜିନିଷ କିଣି ବିକ୍ରି କରିବା ମୋତେ ଖୁବ୍ ଆତ୍ମସନ୍ତୋଷ ଦେଇଥିଲା ବୋଲି ଆଶୁତୋଷ କୁହନ୍ତି । ସେହିପରି କାର୍ତ୍ତିକ ମାଷରେ ହବିଷ୍ୟାଳୀମାନଙ୍କ ମଧ୍ୟରେ ଆସିଏମ୍ ଜଗନ୍ନାଥ ମନ୍ଦିର ଅଭଡ଼ା ସମେତ ବିଭିନ୍ନ ମନ୍ଦିରର ପ୍ରସାଦ ମଧ୍ୟ ଖୁବ୍ ଆଦୃତ ଲାଭ କରିଥିଲା । ଏବ ଭୁବନେଶ୍ବର ଏବଂ ଧୀରେଧୀରେ କଟକରେ ଏହି ଅନ୍‌ଲାଇନ ସେବା ଯୋଗାଇ ଦିଆଯାଉଛି । ଭବିଷ୍ୟତରେ ଏହି ୱେବ୍ସାଇଟକୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ବିସ୍ତାର କରିବା ପାଇଁ ମୋର ଲକ୍ଷ୍ୟ ଅଛି ବୋଲି ଆଶୁତୋଷ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Latest Posts

Don't Miss