ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀରେ ୬ କୋଟି ୫୬ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏକାମ୍ର ମହାବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀମାନଙ୍କ ସୁବିଧା ପାଇଁ ଭିନ୍ନକ୍ଷମ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨ କୋଟି ୫୦ ଲକ୍ଷ ଟଙ୍କାରେ ପାର୍କିଂ, ଟଏଲେଟ୍, ରାମ୍ପ ଓ ଲିଫ୍ଟକୁ ମନ୍ତ୍ରୀ ଉଦଘାଟନ କରିଛନ୍ତି । ସେହିପରି ବିଜ୍ଞାନ ଭବନ ନିର୍ମାଣ ପାଇଁ ୧ କୋଟି ୬୦ ଲକ୍ଷ, ଗଣିତ ଭବନ ନିର୍ମାଣ ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ କରିଛନ୍ତି ।
ପରେ ବିନ୍ଦୁସାଗର ଉତ୍ତରେଶ୍ବର ଘାଟରେ ଶୁଦ୍ଧି ମଣ୍ଡପ ଉଦଘାଟନ କରିବା ସହ ୫୪ ନମ୍ବର ଓ୍ବାର୍ଡର ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ । ଗତକାଲି ୱାର୍ଡ ନମ୍ବର ୬୪ ଡୁମୁଡୁମା ଠାରେ ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କାରେ ପଞ୍ଚସଖା ନଗର, ନୂଆ ସାହି, ଯଦୁପୁରରେ ଡ୍ରେନ୍ ଏବଂ ଖେଳ ପଡିଆର ଆଲୋକୀକରଣର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଏକାମ୍ର ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅଧ୍ୟକ୍ଷ ପରିକ୍ଷିତ ଦାସଙ୍କ ସମେତ ସମସ୍ତ ଓ୍ବାର୍ଡର ପୂର୍ବତନ କର୍ପୋରେଟରମାନେ ଉପସ୍ଥିତ ଥିଲେ ।

