ନନ୍ଦିଘୋଷ ବ୍ୟୁରୋ : ମହାମହିମଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀକ୍ଷେତ୍ର । ଆସନ୍ତା ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ । ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ । ଶ୍ବେତ ଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ ସହିତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କାର୍ଯ୍ୟକ୍ରମ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତିର ସମୀକ୍ଷା କରାଯାଇଛି । ସେପଟେ ରାଷ୍ଟ୍ରପତିଙ୍କୁ ସ୍ବାଗତ ଏବଂ ଜଗନ୍ନାଥ ଦର୍ଶନ କରାଇବା ପାଇଁ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ମଧ୍ୟ ବେଶ୍ ଉତ୍ସାହିତ ।
ଆସୁଛନ୍ତି ମହାମହିମ । ପୁରୀ ଶ୍ରୀମନ୍ଦିରରେ କରିବେ ମହାପ୍ରଭୁଙ୍କ ଦର୍ଶନ । ଶ୍ଵେତଗଙ୍ଗାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି । ଫେବୃଆରି ୩ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିବାବେଳେ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ବେତ ଗଙ୍ଗାକୁ ଯିବେ । ସେଠାରେ ପିଣ୍ଡଦାନ କାର୍ଯ୍ୟ ସାରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଉପହାର ସ୍ବରୂପ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ, ମହାପ୍ରସାଦ ଉପହାର ପ୍ରଦାନ କରାଯିବ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ତାଙ୍କ କୌଳିକ ପଣ୍ଡା ବିଧିବଦ୍ଧ ଭାବେ ପ୍ରଶାସନ ଠାରୁ କୌଣସି ସୂଚନା ପାଇନଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁଯାୟୀ ବ୍ୟବସ୍ଥା କରାଇବେ ବୋଲି କହିଛନ୍ତି l
ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ଇତି ମଧ୍ୟରେ ଥର ପୁରୀ ଗସ୍ତରେ ଆସିଛନ୍ତି । ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବା ପରେ ପ୍ରଥମେ ୨୦୨୨ ଡିସେମ୍ବର ୧୦ ରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପରେ ଗତ ୨୦୨୪ ରଥଯାତ୍ରା ଓ ସେହି ବର୍ଷ ଡିସେମ୍ବର ୪ ତାରିଖରେ ପୁରୀରେ ଅନୁଷ୍ଠିତ ହୋଇଥିବା ନୌସେନା ଦିବସରେ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ ରାଷ୍ଟ୍ରପତିଙ୍କ ଏହି ଚତୁର୍ଥ ଗସ୍ତ ପୂର୍ବପରି କିଭଳି ସଫଳ ହୋଇପାରିବ ସେ ଦିଗରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଶ୍ୱେତଗଙ୍ଗା ଠାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ଥିବାରୁ ପୁଷ୍କରିଣୀରେ ସ୍ବଛତା ସମେତ ପୁଷ୍କରିଣୀର ଚତୁଃପାର୍ଶ୍ଵରେ ରଙ୍ଗ କାର୍ଯ୍ୟ, ରାସ୍ତାଘାଟର ମରାମତି କାର୍ଯ୍ୟ ଆଦି ବୁଲି ସମୀକ୍ଷା କରିଛନ୍ତି ଅଧିକାରୀ l ଫେବୁଆରରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ୬ ଦିନିଆ ଓଡିଶା ଗସ୍ତରେ ଆସୁଥିବା ୩ ତାରିଖ ରାତିରେ ପୁରୀ ଲୋକଭବନ ଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି l

