ଘଟଗାଁ: ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଶିଶୁ ଗୁରୁତର । ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି । ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ୫ ମାସର ଶିଶୁ କନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବାଗୁହାନାଳ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସାହୁପୁର ଗାଁର ଦୁଖୀରାମ୍ ମାରାଣ୍ଡି ଏବଂ ତାଙ୍କ ସ୍ତ୍ରୀ ବାଇକରେ ବ୍ରାହ୍ମଣୀପାଳ ଅଭିମୁଖେ ଯାଉଥିଲେ । ବାଗୁହାନାଳ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ଦୁଖୀରାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ।

ଖାଲି ସେତିକି ନୁହେଁ ଘଟଣା ସ୍ଥଳରୁ ଗୁରୁତର ୫ମାସର ଶିଶୁ କନ୍ୟାକୁ ଉଦ୍ଧାର କାରାଯାଇଛି । ସ୍ଥାନୀୟ ଲୋକେ ଶିଶୁକୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।


