spot_img

Latest Posts

ଜନ୍ମନେଇଥିଲେ ବ୍ୟାସକବି, ରଚିଥିଲେ ‘ରେବତୀ’

ଓଡିଆ ଭାଷା ସାହିତ୍ୟର ଅଗ୍ରୀମ ସ୍ରଷ୍ଟା ଫକୀର ମୋହନ ସେନାପତି । ୧୮୪୩ ମସିହା ଆଜିର ଦିନରେ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁରେ ଜନ୍ମ ନିଅନ୍ତି ଫକୀର ମୋହନ ସେନାପତି । ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାତା ତୁଳସୀ ଦେବୀ ସେନାପତିଙ୍କ ଔରସରୁ କରିଥିଲେ ଜନ୍ମଗ୍ରହଣ । ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ‘ରେବତୀ’ର ଲେଖକ ।

ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ ଫକୀର ମୋହନ। ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।

ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ । ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ – ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ । ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ ଥିଲେ ସେ । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ ରଚୟିତା । ଏହାର ନାମ ଥିଲା ’ଆତ୍ମ ଜୀବନ ଚରିତ’ ।

ଉତ୍କଳର ଏହି ବରପୁତ୍ରଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରୁଥିବା ‘ରେବତୀ’, ”ଛ’ ମାଣ ଆଠ ଗୁଣ୍ଠ’, ‘ଡାକ ମୁନସୀ’ ଭଳି କାଳଜୟୀ ରଚନା ସହ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଦିଗରେ ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ  ।

Latest Posts

Don't Miss