ଅଫେରା ଆକାଶରେ ଅସ୍ତ ହୋଇଗଲେ ରବି, ଚାହୁଁ ଚାହୁଁ ସତ ହୋଇଗଲା ମିଛ ଅଭିନୟ

ଭୁବନେଶ୍ୱର: ଆଉ ଓଡ଼ିଆ ଚଳିଚିତ୍ରରେ ପଡ଼ିବନି ତାଙ୍କର ନିଖୁଣ ଅଭିନୟର ରଶ୍ମି। ତାଙ୍କ ମଜାଦାର ଅଭିନୟରେ ହସିହସି ବେଦମ ହେବେନି ଦର୍ଶକ। କାରଣ ଅଫେରା ଆକାଶରେ ଅସ୍ତ ହୋଇଯାଇଛନ୍ତି ସେ। ଉଦାସିନତାର ଛାଇରେ ଅନ୍ଧାର ହୋଇଛି ପୁରା ଫିଲ୍ମ ଜଗତ। ଆଉ ନାହାନ୍ତି ଓଲିଉଡର ବିଶିଷ୍ଟ ଅଭିନେତା ରବି ମିଶ୍ର। ଅଭିନୟ ପରେ ଯେ ଏଭଳି କିଛି ଘଟିବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଅଭିନୟଯେ କେବେ ସତ ହୋଇଯିବ ସେ କେବେ ତାଙ୍କ ଜୀବନକାଳ ମଧ୍ୟରେ ଭାବିବି ନଥିବେ।
ଗତକାଲି ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା। ଏକ ଘରୋଇ ଚାନେଲର ଧାରାବାହିକ ସୁଟିଂ କରିଥିଲେ। ହେଲେ ଆଜି ତାଙ୍କର ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗତକାଲି ସୁଟିଂ କରିଥିବା ଧାରବାହିକରେ ଥିଲା ଦେହ ଅସୁସ୍ଥର ହେବା ଆକ୍ଟିଂ। ଆଜି ତାଙ୍କର ସତରେ ଦେହ ଅସୁସ୍ଥ ହୋଇ ସମସ୍ତଙ୍କୁ ଛାଡିଯିବେ ବୋଲି କେହି ଭାବିପାରୁନାହାଁନ୍ତି। ସମସ୍ତଙ୍କୁ ଶୋକସାଗରରେ ଭସାଇ ପରପାରିକୁ ଚାଲିଯାଇଛନ୍ତି ଭର୍ସାଟାଇଲ ରବି।
ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଲିଛି। ହସ୍ପିଟାଲରୁ ତାଙ୍କର ବାସଭବନ କଟକ ଅଭିମୁଖେ ଯାଉଛି ପାର୍ଥିବ ଶରୀର। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥିଲେ ସେ। ଚରିତ୍ର ହେଉ ଅବା କମିକ୍ ସିକ୍ୱେନ୍ସ, ସବୁଥିରେ ଥିଲା ତାଙ୍କର ଦକ୍ଷତା। ଏକାଧିକ ଫିଲ୍ମରେ ଅଭିନୟ କରି ଓଡିଆ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି ରବି ମିଶ୍ର। ସ୍ୱତନ୍ତ୍ର ଭାବେ ଗୋପାଳ ରହସ୍ୟ’ ସିରିୟଲରରୁ ସେ ହୋଇଥିଲେ ଲୋକପ୍ରୀୟ। ଗାଁ ଗାଁରେ ଘରେ ଘରେ ଚକୁଳିଆ ପଣ୍ଡା ଭାବେ ସେ ପାଇଥିଲେ ପରିଚିତି। ରବି ମିଶ୍ରଙ୍କ ପରଲୋକରେ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।