ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଡଃ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ସାରାଦେଶରେ ଆରମ୍ଭ ହେବାକୁ ଯାଉଛି କରୋନା ଟୀକାକରଣ। ଏନେଇ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି ।
ଏଭଳି ସମୟରେ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ କଥା ହେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ। ଏହି ବୈଠକରେ ଟୀକାକରଣ ନେଇ ଆଲୋଚନା ହେବ । କିଭଳି ସହରରୁ ଉପାନ୍ତ ଅଞ୍ଚଳକୁ ଟିକା ପହଞ୍ଚିପାରିବ। ଟିକାର ଷ୍ଟୋରେଜ ଓ ବିତରଣ ନେଇ ବୈଠକରେ ଆଲୋଚନା ହେବ।
ଏଥିସହ ଆସନ୍ତାକାଲି ସାରା ଦେଶରେ ପୁଣି ଥରେ ହେବାକୁ ଥିବା ଟିକାର ଡ୍ରାଏ ରନ୍ ଉପରେ ମଧ୍ୟ ବୈଠକରେ ଆଲୋଚନା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ କିଭଳି ସଠିକ୍ ଉପାୟରେ ଟିକା ଲୋକଙ୍କ ପାଖରେ ପହଞ୍ଚିପାରିବ ସେନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି ।
ଉଲ୍ଲେଖଯୋଗ୍ୟ, ସରକାରଙ୍କ ପକ୍ଷରୁ ଜାନୁଆରି ୧୩ ତାରିଖରେ କରୋନା ଟିକାର ପ୍ରଥମ ଡୋଜ୍ ଦେଶବାସୀଙ୍କୁ ମିଳିବା ନେଇ ସଙ୍କେତ ମିଳିଛି। ପ୍ରାରମ୍ଭିକ ଭାବେ ୩ କୋଟି କରୋନା ଯୋଦ୍ଧାଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
କରୋନା ବିରୋଧରେ ସାରା ଦେଶ ଲଢେଇ କରୁଥିବା ବେଳେ ଭାରତରେ ଦୁଇଟି ଟିକାକୁ ଅନୁମୋଦନ ମିଳିଛି । DCGI ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନକୁ ମଞ୍ଜୁରୀ ଦେଇଥିଲେ ।
ନୂଆବର୍ଷରେ ପ୍ରଥମେ କୋଭିସିଲ୍ଡକୁ ଅନୁମତି ମିଳିଥିଲା ବେଳେ ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ ଅନୁମତି ଦିଆଯାଇଥିଲା । ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ପ୍ୟାନେଲ କୋଭାକ୍ସିନର କେବଳ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ।
ଟିକା ବ୍ୟବହାର ନେଇ ଅନୁମୋଦନ ମିଳିବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କୋଭିଶିଲ୍ଡ ଅନୁମୋଦନ ପାଇବା ପରେ ଖୁସି ବ୍ୟକ୍ତ କରିଥିଲେ। କରୋନା ବିରାେଧରେ ଦେଶବାସୀ ଲଢେଇ ଜାରି ରଖିଥିବା ବେଳେ ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପରେ ଜନସାଧାରଣ ଆଶ୍ୱସ୍ତୀ ଅନୁଭବ କରିଛନ୍ତି ।