ତ୍ୱରାନ୍ୱିତ ହେବ କ୍ୟାପିଟାଲ ହସ୍ପିଟାଲର ବିକାଶ କାର୍ଯ୍ୟ, ବିଛାଯିବ ଅକ୍ସିଜେନ ପାଇପ ଲାଇନ୍

1 min read

ଭୁବନେଶ୍ୱର: ତ୍ୱରାନ୍ୱିତ ହେବ କ୍ୟାପିଟାଲ ହସ୍ପିଟାଲର ବିକାଶ କାର୍ଯ୍ୟ । ରୋଗୀଙ୍କୁ ଯୋଗାଇ ଦିଆଯିବ ଉନ୍ନତମାନର ଚିକତ୍ସା ସେବା । ଡାକ୍ତରଖାନା ପରିସରରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯିବା ସହ ପାଇପ୍ ଲାଇନ୍ ବିଛାଯିବ । ବିଭିନ୍ନ ଓ୍ବାର୍ଡରୁ ରୋଗୀଙ୍କୁ ନେବା ଆଣିବା ପାଇଁ ଇ-ରିକ୍ସା ପରିବହନ ଚାଲୁ କରିବା ସହିତ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଅଣାଯିବ । ଏନେଇ ଆଜି ବସିଥିବା କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଡାକ୍ତରଖାନାର ଏକାଧିକ ବିଭାଗ ଖୋଲାଯାଉଥିବା ବେଳେ ପିଜି କୋର୍ସ ଖୋଲୁଥିବାରୁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ବୈଠକରେ କୃତଜ୍ଞତା ଜ୍ଞାପନ କରାଯାଇଛି ।

ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହେବା ପରେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କୁହାଯାଇଛି । ସେପଟେ ଡାଇଲିସିସ୍ ଓ କ୍ୟାନ୍ସର ଓ୍ବାର୍ଡରେ କେମୋ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ଡାକ୍ତରଖାନାର ଅନେକ ବିକାଶ ହୋଇଥିବା ବେଳେ ଉନ୍ନତ ଚିକିତ୍ସା ସେବା ପାଇ ରୋଗୀ ଉପକୃତ ହେଉଥିବାରୁ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ଏଣିକି ଡାକ୍ତରଖାନାର ପାର୍କିଂ ସମ୍ପୂର୍ଣ୍ଣ ମାଗଣା କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଏମସି ସମସ୍ତ ସହଯୋଗ ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମେୟର । ବୈଠକରେ ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗି ଅଧ୍ୟକ୍ଷତା କରିଥିବା ବେଳେ ଭୁବନେଶ୍ବରର ଦୁଇ ବିଧାୟକ, ମେୟର, ହସ୍ପିଟାଲର ନିର୍ଦେଶକ ଓ ସମସ୍ତ ବିଭାଗର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।