କରୋନା ସଂକ୍ରମିତଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଯୁବାଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର: ଦେଶ ଓ ବିଶ୍ୱରେ ବୟସ୍କ ଲୋକ ସର୍ବାଧିକ କରୋନା ସଂକ୍ରମଣର ଶିକାର ହେଉଛନ୍ତି । ତେବେ, ରାଜ୍ୟରେ ସ୍ଥିତି ଭିନ୍ନ । ବୟସ୍କଙ୍କ ଅପେକ୍ଷା କରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ । ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ଏହି ତଥ୍ୟ ବେଶ୍ ଚିନ୍ତାଜନକ । ଅଦ୍ୟାବିଧି ରାଜ୍ୟରେ କରୋନା ଆକ୍ରାନ୍ତ ହୋଇଥିବା ୫୦ ଜଣଙ୍କ ମଧ୍ୟରେ ଏହି ବର୍ଗରେ ଆସୁଛନ୍ତି ୨୬ ଜଣ । ଅର୍ଥାତ୍ ୫୦ ଜଣ ପଜିଟିଭଙ୍କ ମଧ୍ୟରୁ ୨୬ ଜଣ ରିସ୍କ ଗ୍ରୁପରେ ଅଛନ୍ତି । ୧୫ରୁ ୪୦ ବର୍ଷ ବୟସ୍କଙ୍କୁ ସରକାର ଏହି ବର୍ଗରେ ରଖିଛନ୍ତି ।

ଦ୍ୱିତୀୟ ରିସ୍କ ଜୋନରେ ଆସୁଛନ୍ତି ୪୧ରୁ ୬୦ ବର୍ଷ ବୟସର ବ୍ୟକ୍ତି । ଏହି ବୟସର ୧୨ ଜଣ ବର୍ତ୍ତମାନ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହାର ପ୍ରତିଶତ ହେଉଛି ମାତ୍ର ୨୪ । ତୃତୀୟ ବର୍ଗରେ ଆସୁଛନ୍ତି ନବଜାତକରୁ ୧୪ ବର୍ଷ ବୟସ୍କ । ଏହି ବୟସର ଆକ୍ରାନ୍ତଙ୍କ ପ୍ରତିଶତ ହେଉଛି ୧୬ । ଏହି ବର୍ଗର ବର୍ତ୍ତମାନ ୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ବିଶ୍ୱରେ ଡେଞ୍ଜର ଜୋନରେ ଥିବା ବୟସ୍କ, ଓଡ଼ିଶାରେ ସୁରକ୍ଷିତ ଅଛନ୍ତି । ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂକ୍ରମଣର ସଂଖ୍ୟା ରାଜ୍ୟରେ ୮ ପ୍ରତିଶତ । ଏହି ବର୍ଗର ୪ ଜଣ ରାଜ୍ୟରେ କରୋନାରେ ସଂକ୍ରମିତ ଥିବା ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ତେବେ, ତା ମାନେ ନୁହେଁ ଆମେ ବୟସ୍କଙ୍କୁ ବାହାରକୁ ଛାଡ଼ି ସଂକ୍ରମଣକୁ ବ୍ୟାପକ କରିବା ।

Leave a Reply