ରାଜଧାନୀରେ ଗୋଡାଇ ଗୋଡାଇ ହାଣୁଛନ୍ତି ଅପରାଧି, କୁଆଡେ ଗଲା ‘ଉଇ କେୟାର, ଉଇ ଡେୟାର’ ?

ଭୁବନେଶ୍ବର: ରାଜଧାନୀରେ ସକ୍ରୀୟ ହୋଇଛନ୍ତି ଅପରାଧି । ଦିନ ଦ୍ବିପ୍ରହରରେ ରାହାଜାନି ଘଟୁଥିଲା , ଏବେ ଘଟୁଛି ମର୍ଡର । କିଛିଦିନ ତଳେ ସାମନ୍ତାରପୁର ମିଠା ବ୍ୟବସାୟୀଙ୍କୁ  ଅପରାଧି ହତ୍ୟା କରିଥିବାବେଳେ ଆଜି ଜନଗହଳୀ ସିଆରପି ଛକରେ ଘଟିଛି ଏହି ଘଟଣାର ପୁନରାବୃତ୍ତି । ସର୍ବ ସମ୍ମୁଖରେ ସାଲିଆସାହିର ଟୁକୁନା ଦାସ ଓରଫ ଜଟିଆକୁ ହତ୍ୟା କରିଛନ୍ତି ଦୁଇ ଭାଇ ସୁଧୀର ଓ ସାଗର । କିନ୍ତୁ ଏବେ ଅପରାଧିଙ୍କ ଅପେକ୍ଷା ପୋଲିସକୁ ଅଧିକ ପ୍ରଶ୍ନ କରିଛନ୍ତି ସାଧାରଣ ଜନତା । ଆଜିର ମର୍ଡର ପରେ ଉଇ କେୟାର, ଉଇ ଡେୟାରର ନାରା ଦେଉଥିବା କମିଶନରେଟ୍ ପୋଲିସର ପାରିବା ପଣିଆ ଏବେ ପଦାରେ ପଡିଛି ।

ଦିନ ଦ୍ୱିପ୍ରହରରେ ରାଜଧାନୀରେ ସାଧାରଣ ଲୋକେ ସୁରକ୍ଷିତ ନାହାନ୍ତି । କିନ୍ତୁ ଗଳି ଗଳିରେ ପିସିଆର ଭ୍ୟାନ ପାଟ୍ରୋଲିଂ କରୁଥିଲେ ବି ଅପରାଧୀଙ୍କର ଏହାକୁ ଖାତିର ନାହିଁ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି କ୍ରିମିନାଲ । ସେପଟେ ପୋଲିସ ଭ୍ୟାନକୁ ଅଟକାଇ ଖୋଦ ପୋଲିସ ପାଖରୁ ସାଧାରଣ ଜନତା ଅପରାଧିଙ୍କୁ ଛଡ଼ାଇ ନେଉଛନ୍ତି । ଏବଂ ପୋଲିସ ସମ୍ମୁଖରେ ହିଁ ମାରପିଟ କରୁଛନ୍ତି । ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ, ଏହା ଜଣାଯାଏ ଯେ ରାଜଧାନୀରେ ପୋଲିସ ଏକପ୍ରକାର ନିଷ୍କ୍ରିୟ ସାଜିଛି । ଯାହାର ପ୍ରମୁଖ ପ୍ରମାଣ ହେଉଛି ଆଜିର ହତ୍ୟାକାଣ୍ଡ ।

ସୂଚନା ମୁତାବକ ସାଲିଆ ସାହିରେ ରହୁଥିବା ଟୁକୁନା ଦାସ ଓରଫ ଜଟିଆକୁ ପିକ୍ ଅପ୍ ଭ୍ୟାନ ଭିତରେ ଦୁଇ ଭାଇ ସୁଧୀର ଓ ସାଗର ମରଣାନ୍ତକ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ଗାଡିରୁ ଦୌଡି ପଳାଇଥିଲେ ଟୁକୁନା । ଏହା ପରେ ବି ଛାଡିନଥିଲେ ହତ୍ୟାକାରୀ ଦୁଇ ଭାଇ । ସିଆରପିଏଫ ଛକରେ ଓହ୍ଲାଇ୨ ଭାଇ ଟୁକୁନାଙ୍କୁ ଗୋଡାଇ ଗୋଡାଇ ଛୁରାମାଡ଼ କରିଥିଲେ । ଏବଂ ଘଟଣାସ୍ଥଳରେ ହିଁ ଟୁକୁନାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ହତ୍ୟାକାଣ୍ଡ ପରେ ଜନଗହଳୀପୂର୍ଣ୍ଣ ସିଆରପି ଛକରେ ପହଁଚିଥିଲା କମିସନରେଟ ପୋଲିସ । ପରେ ହତ୍ୟାକାରୀ ଦୁଇ ଭାଇଙ୍କୁ ପୋଲିସ ପିସିଆର ଭ୍ୟାନରେ ନେଇ ଯାଉଥିବା ବେଳେ, ସ୍ଥାନୀୟ ଲୋକେ ପିସିଆରକୁ ଅଟକାଇଥିଲେ । ଏବଂ ପିସିଆର ଭ୍ୟାନର କାଚ ଭାଙ୍ଗି ଆକ୍ରମଣକାରୀ ଦୁଇ ଭାଇଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଥିଲେ ।

କିନ୍ତୁ ଆଇନର ରକ୍ଷକ ସାଜିଥିବା ପୋଲିସର ଉପସ୍ଥିତିରେ ସାଧାରଣ ଜନତା ହତ୍ୟାକାରୀଙ୍କୁ ନିର୍ଧୁମ ମାଡ ମାରିଥିଲେ । ଗୋଡାଇ ଗୋଡାଇ ପିଟୁଥିଲେ । ଫଳରେ ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଦୁଇ ଅଭିଯୁକ୍ତ ସୁଧୀର ଓ ସାଗର ଆହତ ହୋଇଛନ୍ତି । ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ପ୍ରଶ୍ନ ଏବେ ପୋଲିସର ଦାୟିତ୍ବ ହୀନତା ଏବଂ ନିଷ୍କ୍ରିୟତାକୁ ନେଇ । ଗୋଟେପଟେ କଡା ପାଟ୍ରୋଲିଂ କରୁଥିବା କଥା କହୁଥିବା କମିସନରେଟ ପୋଲିସର ଅନୁପସ୍ଥିତିରେ ବିଚ ରାସ୍ତାରେ ହତ୍ୟାକାଣ୍ଡ ଘଟୁଛି । ଅନ୍ୟପଟେ ପୋଲିସର ଉପସ୍ଥିତିରେ ମଧ୍ୟ ଅପରାଧିଙ୍କୁ ସାଧାରଣ ଜନତାଙ୍କ ଆକ୍ରମଣ କରୁଛନ୍ତି । ଅଥଚ ପୋଲିସ ସେଠାରେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହିଁ । ଯାହା ଏବେ ଆଇନ ରକ୍ଷକଙ୍କ ପ୍ରତି ପ୍ରଶ୍ନର ପାହାଡ ଠିଆ କରିଛି ।

Leave a Reply