ନାରୀ ସୁରକ୍ଷା କ’ଣ ଥିଲା ଯୋଗୀଙ୍କ ନିର୍ବାଚନୀ ଧୂଆଁବାଣ ?

1 min read

ନୂଆଦିଲ୍ଲୀ, ଉତ୍ତର ପ୍ରଦେଶରେ ଏ କଣ ଚାଲିଛି ।  ହାଥରସ ଲଜ୍ଜା ପରେ ବ୍ୟବସ୍ଥାକୁ ପଚାରୁଛି ପ୍ରଶ୍ନ ପରେ ପ୍ରଶ୍ନ । ରାମ ରାଜ୍ୟରେ ଚାଲିଛି କି ରାବଣ ରାଜ । ନାରୀ ସୁରକ୍ଷା ନାଁରେ ମହିଳାଙ୍କ ସୁରକ୍ଷା ୟୁପିରେ ପ୍ରହସନରେ ପରିଣତ ହେବାରେ ଲାଗିଛି । ୟୁପିରେ ଘଟି ଯାଇଥିବା ଏହି ଘଟଣା ଦିଲ୍ଲୀର ନିର୍ଭୟା କାଣ୍ଡଠାରୁ ମଧ୍ୟ ହୃଦୟ ବିଦାରକ । କେବଳ ହାଥରସ ନୁହେଁ , ସେହି ୟୁପିର ବଳରାମପୁରରୁ ଆସିଛି ମଧ୍ୟ ଦୁଷ୍କର୍ମର ଆଉ ଏକ ଖବର । ଅର୍ଥାତ ହାସରଥର ପୀଡିତା ଯେତେବେଳେ ଜୁଇରେ ଜଳୁଥିଲା, ସେ ସମୟରେ ବଳରାମପୁର ଆଉ ଜଣେ ନାରୀର ସର୍ବସ୍ୱ ଲୁଟି ଚାଲିଥିଲେ କିଛି ନରରାକ୍ଷସ । ଏତେ ସବୁ ପରେ ଚେତୁ ନାହାନ୍ତି ଯୋଗୀ ସରକାର । ଏକ ସମୟରେ ଦୁଇ ସାଘାଂତିକ ଘଟଣା । ହେଲେ ବ୍ୟବସ୍ଥା ଏଠି ବିରୋଧୀ ସ୍ୱରକୁ ଚପାଇବାକୁ ଉଦ୍ୟମରେ ନିମଗ୍ନ । ସତେ ଯେମିତି କ୍ଷମତାର ନିଶାରେ ମତୁଆଲା ପାଲଟିଯାଇଛି ଯୋଗୀ ସରକାର । ରାସ୍ତାଘାଟରେ ମା, ଭଉଣୀଙ୍କ ଇଜ୍ଜତ ଲୁଟ୍ ହେଉଥିବା ବେଳେ ଲକ୍ଷ୍ମୌର ଶୀତତାପ ନିୟନ୍ତ୍ରିତ କକ୍ଷରେ ସୁରକ୍ଷିତ ରହିଛି ଯୋଗୀ ସରକାର ।

ସଶକ୍ତ ନେତା ବୋଲାଉଥିବା ଯୋଗୀ ଦୁଷ୍କର୍ମ ପରବର୍ତ୍ତୀ ନ୍ୟାୟର ପ୍ରକ୍ରିୟାକୁ ତ୍ୱରାନିତ କରିବା ପରିବର୍ତ୍ତେ ବିରୋଧୀଙ୍କ ସ୍ୱରକୁ ପ୍ରଶମିତ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରମୁଖଙ୍କୁ ପୀଡିତଙ୍କ ପରିବାରକୁ ଭେଟିବାକୁ ଦିଆଗଲା ନାହିଁ । ଅନୁରୂପଭାବେ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତା, ବହୁଜନ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଆନ୍ଦୋଳନର ବିରତ କରାଗଲା । ସବୁ ସ୍ଥାନରେ ୟୁପି ପୋଲିସକୁ ଜନତାଙ୍କ ଆକ୍ରୋଶକୁ ଦମନ କରିବାକୁ କୁହାଗଲା । ୨୦୧୭ରେ ଯେତେବେଳେ ୟୁପି ନିର୍ବାଚନ ହୋଇଥିଲା, ସେ ସମୟରେ ସମସ୍ତ ବିଜେପି ନେତା ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ପ୍ରମୁଖ ପ୍ରସଙ୍ଗ କରିଥିଲେ । ସେ ସମୟରେ କ୍ଷମତାସୀନ ଥିବା ସମାଜବାଦୀ ପାର୍ଟି ଏବଂ ପୂର୍ବରୁ ଶାସନ କରିଥିବା ବିଏସପି ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ । ୨୦୧୭ରେ ବିଜେପି ପକ୍ଷରୁ  ମଞ୍ଚରୁ ପଚରାଯାଇଥିଲା  ”କ୍ୟା କାରଣ ହୈ, ଉତ୍ତର ପ୍ରଦେଶ କି ବେଟୀ ସଲାମତ ନେହିଁ ହୈ ? ସେହି ସମାନ ପ୍ରଶ୍ନ ଏବେ ଜନତା ବିଜେପି ସରକାରକୁ ପଚାରୁଛି ।

ସେହିପରି ସ୍ମୃତି ଇରାନୀ ଏକଦା ଉତ୍ତର ପ୍ରଦେଶର ଆଇନକାନୁନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଥିଲେ । ଟୁଇଟ ପରେ ଟୁଇଟ କରି ପ୍ରତିପକ୍ଷକୁ ଟ୍ରୋଲ କରୁଥିଲେ । ହେଲେ କ୍ଷମତାସୀନ ହେବା ପରେ ଘଟଣା ସମ୍ପର୍କରେ ପଦେ ବି ମନ୍ତବ୍ୟ ଦେବାକୁ ଉଚିତ ମଣିନାହାନ୍ତି । ବିଭିନ୍ନ ସମୟରେ ସେ ସମୟରେ ଶାସକଙ୍କୁ ପ୍ରଶ୍ନ କରିଥିବା ସ୍ମୃତି ଇରାନୀଙ୍କ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

୨୦୧୭ରୁ ୨୦୨୦ କ୍ଷମତା ରହିଥିବା ଯୋଗୀ ସରକାର କଣ ନାରୀ ବିରୋଧୀ ହିଂସାର ପ୍ରକୃତ କାରଣ ବୁଝିବାରେ ଅସମର୍ଥ । ନା କଙ୍କଡାକୁ ଗୋଳିଆ ପାଣି ସୁହାଇବାକୁ ଭଳି ଏହି ଘଟଣାରୁ ଭବିଷ୍ୟତର ଭୋଟ ବିଭାଜନର ବାଟ ଫିଟାଇବାରେ ବ୍ୟସ୍ତ । କଣ ପୂର୍ବରୁ ମିଛ ପ୍ରତିଶ୍ରୁତି ଦେଇ କେବଳ ଲକ୍ଷ୍ମୌର ଗାଦି ଆସନ କରିବାକୁ ଚାହୁଁଥିଲେ ଯୋଗୀ । ସେହି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ପ୍ରକୃତ ଉଦ୍ଦେଶ୍ୟ କେମିତି ସାଧିତ ହେବ, ଯଦି ଆମେ ନାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିପାରିବା ନାହିଁ । ସ୍ୱପ୍ନର ପରିକଳ୍ପନା କିପରି ବାସ୍ତବରୂପ ନେବ , ଯଦି ନରରୂପୀ ସୀତାଙ୍କୁ ସମାଜ ମର୍ଯ୍ୟାଦା ନ ଦେବ ।

Hathras Gang Rape Victim's Father Unhappy With Probe, Demands CBI Investigation

କେବଳ ସେତିିକି ନୁହେଁ, ସ୍ଥାନୀୟ ପ୍ରଶାସନିକଙ୍କ ବ୍ୟବହାର ପୀଡିତା ପରିବାରର ଅପୂରଣୀୟ କ୍ଷତରେ ଚୂନ ମାରିବା ସଦୃଶ ହୋଇଛି । ପ୍ରଶାସନିକ ଅଧିକାରୀ ପ୍ରବୀଣ କୁମାର ଲକ୍କରଙ୍କ ନାଁରେ ପୀଡ଼ିତାଙ୍କ ଭାଉଜ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଜିଲ୍ଲାପାଳ ତାଙ୍କ ଶ୍ୱଶୁର ଅର୍ଥାତ୍ ପୀଡ଼ିତାଙ୍କ ବାପାଙ୍କୁ କହିଛନ୍ତି- ‘ତୁମ ଝିଅ ଯଦି କରୋନାରେ ମରିଥାନ୍ତା ତ ତୁମକୁ ସହାୟତା ଟଙ୍କା ମିଳିଥାନ୍ତା ।’ ଏଥିସହ ସୋସିଆଲ୍ ମିଡିଆରେ ବୁଲୁଥିବା ଜିଲ୍ଲାପାଳ ଓ ପୀଡ଼ିତାଙ୍କ ବାପାଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଭିଡିଓ ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି କରିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓରେ ଜିଲ୍ଲାପାଳ ପୀଡ଼ିତାଙ୍କ ବାପାଙ୍କୁ କହୁଛନ୍ତି- ଆପଣ ଆପଣଙ୍କ ବିଶ୍ୱନୀୟତାକୁ ହରାନ୍ତୁ ନାହିଁ । ଆଉ ମିଡିଆ ଆଜି ଅଧା ପଳାଇଛନ୍ତି ଆଉ କାଲି ଅଧା ପଳାଇବେ । ଆମେ ଆପଣଙ୍କ ସହିତ ଅଛୁ, ଆପଣଙ୍କ ଇଚ୍ଛା ଆପଣ ବାରମ୍ବାର ବୟାନ ବଦଳାଇବେ କି ନାହିଁ । ଆମେ ବି ବଦଳି ଯିବୁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି । ଏହି କଥା ଦୁଇପଦ ସେ ଦଳିତ ପରିବାର ପ୍ରତି ନିରୋଳା ଉପହାସ ନୁହେଁ ତ ଆଉ କ’ଣ ।

ହାଥରସ୍ ପୀଡ଼ିତାଙ୍କ ବାପାଙ୍କୁ ଜିଲ୍ଲାପାଳ କହିଲେ, ତମ ଝିଅ ଯଦି କରୋନାରେ ମରିଥାନ୍ତା ?

 

 

Leave a Reply