ଭୂମି ପୂଜନ ପାଇଁ ସଜେଇ ହେଉଛି ରାମ ନଗରୀ, ଅଯୋଧ୍ୟା ପହଞ୍ଚି ପ୍ରସ୍ତୁତି ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

1 min read

ଉତ୍ତର ପ୍ରଦେଶ: ଅଯୋଧ୍ୟାର ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମର ଦିନ ପାଖେଇ ଆସୁଛି । ଆଉ ମାତ୍ର ୪୮ଘଣ୍ଟାରୁ ବି କମ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିରରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଇତି ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ କରି କହିଛନ୍ତି ଯେ, ଲୋକମାନେ ଘରେ ବସି ଏହି ଐତିହାସିକ ଦୃଶ୍ୟକୁ ଉପଭୋଗ କରନ୍ତୁ ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି । ଏଠାରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟକ୍ରମ ଏବଂ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କ ସହ କଥା ମଧ୍ୟ ହୋଇଛନ୍ତି ।  ୟୁପି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଭୂମି ପୂଜା ସ୍ଥଳ ସହିତ ହନୁମାନଘଡ଼ୀ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ଟ୍ୱିଟ କରି କହିଛନ୍ତି ଯେ, ‘अवधपुरी प्रभु आवत जानी, भई सकल सोभा कै खानी’.

ସିଏମ ଲେଖିଛନ୍ତି ଯେ, ଅନେକ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଅପେକ୍ଷାର ଫଳ ମିଳିବାକୁ ଯାଉଛି । ସଂକଳ୍ପ ସିଦ୍ଧ ହେବାକୁ ଯାଉଛି । ସବୁ ଶ୍ରଦ୍ଧାଳୁଗଣଙ୍କୁ ଘରେ ରହି ଦୀପ ଜାଳିବାକୁ କହିଛନ୍ତି ଯୋଗି ଆଦିତ୍ୟନାଥ । ଶ୍ରୀରାମଚରିତମାନସ ପାଠ କରନ୍ତୁ । ପ୍ରଭୁ ଶ୍ରୀ ରାମଙ୍କ ଆଶିଷ ସମସ୍ତଙ୍କୁ ପାପ୍ତ ହେବ ।

ଉଲ୍ଲେଖନୀୟ କଥା ହେଉଛି, ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୁମି ପୂଜନ ପୂର୍ବରୁ ଅଯୋଧ୍ୟାର ସୀମା ସିଲ୍ ହେବ । ଏହି ସମୟରେ, ସମସ୍ତ ପ୍ରସ୍ତୁତି ଯାଞ୍ଚ କରିବାପାଇଁ ସିଏମ୍ ଆଜି ପହଞ୍ଚିଛନ୍ତି । କରୋନା ମହାମାରୀ ହେତୁ ଅଧିକ ସଂଖ୍ୟକ ଲୋକଙ୍କୁ ଆସିବାକୁ ଅନୁମତି ଦିଆଯାଇନାହିଁ । ଭୁମି ପୂଜନ ସମୟରେ କେବଳ ଦୁଇଶହରୁ କମ୍ ଅତିଥି ଉପସ୍ଥିତ ରହିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଖାପାଖି ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିବେ । ଏହି ଅବସରରେ ସାମାଜିକ ଦୂରତା ପାଳନ କରାଯିବ ଏବଂ କରୋନା ସହ ଯଡ଼ିତ ଗାଇଡଲାଇନର ପାଳନ କରାଯିବ । ଭୂମି ପୂଜନ ସମୟରେ ଟ୍ରଷ୍ଟର କିଛି ସଦସ୍ୟ, ରାମ ମନ୍ଦିର ଆନ୍ଦୋଲନ ସହିତ ଜଡ଼ିତ ଲୋକ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ  ନିମନ୍ତ୍ରଣ ଦିଆଯାଇଛି ।

ଆଜିଠାରୁ ଲୋକମାନଙ୍କ ପାଖକୁ ନିମନ୍ତ୍ରଣ ପତ୍ରକୁ ଯିବା ଆରମ୍ଭ ହୋଇଯାଇଛି, ସୁପ୍ରିମକୋର୍ଟରେ ବାବ୍ରି ମସଜିଦ ଦଳର ସମର୍ଥକ ଇକବାଲ ଅନସାରୀଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି ।

Leave a Reply