ରାମମନ୍ଦିର ଭୂମିପୂଜା ପରେ ଏମିତି କାହିଁକି କହିଲେ ଯୋଗୀ ?

ନୂଆଦିଲ୍ଲୀ: ଆଜି ରାମ ମନ୍ଦିରର ଭୂମିପୂଜା ସରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ଉପସ୍ଥିତିରେ ଭୂମିପୂଜା କରିଛନ୍ତି । ଏହାରି ଭିତରେ ଅଯୋଧ୍ୟାରେ ମସଜିଦ ନିର୍ମାଣକୁ ନେଇ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଆସିଛି । ଯାହା ଦେଶ ରାଜନୀତିରେ ବିବାଦ ଆଣିବାର ଆଶଙ୍କା ରହିଛି । ଆଦିତ୍ୟନାଥ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ମସଜିଦ ଶିଳାନ୍ୟାସକୁ ମୋତେ ଡକାଯିବ ନାହିଁ କି ମୁଁ ଯିବିନାହିଁ ।

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣ ରାମ ମନ୍ଦିର ଭୂମିପୂଜାକୁ ସବୁ ଧର୍ମାବଳମ୍ବୀଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ କୁହାଯାଉଛି ଆପଣ ନିଜେ ମସଜିଦ ଶିଳାନ୍ୟାସକୁ ଯିବେ ନାହିଁ । ଏହାର ଉତ୍ତରରେ ଆଦିତ୍ୟନାଥ କହିଥିଲେ ଯେ, ମୋ କାମ ଯାହା ମୁଁ ତାହା କରିବି । ମୁଁ କାମକୁ ସବୁବେଳେ କର୍ତ୍ତବ୍ୟ ଓ ଧର୍ମ ଭାବି ଚାଲେ । ମୁଁ ଜାଣିଛି ମୋତେ କେହି ନିମନ୍ତ୍ରଣ କରିବେ ନାହିଁ । ଏଥିପାଇଁ ମୁଁ ଯିବି ନାହିଁ ।

Babri Masjid

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ ଅଯୋଧ୍ୟାରେ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡକୁ ୫ ଏକର ଭୂମି ଦିଆଯିବାକୁ ଆଦେଶ ଦେଇଥିଲେ । ଉତ୍ତର ପ୍ରଦେଶ ସରକାର ଫେବ୍ରୁଆରି ୫ ତାରିଖରେ ଅଯୋଧ୍ୟା ମୁଖ୍ୟାଳୟଠାରୁ ୧୮ କିଲୋମିଟର ଦୂରରେ ୫ ଜମି ଆବଣ୍ଟନ କରିଥିଲେ । ସେଠାରେ ମସଜିଦ ନିର୍ମାଣ ହେବ ।

ଯୋଗୀ ମଧ୍ୟ ଆଜି ପ୍ରିୟଙ୍କାଙ୍କୁ ଟାର୍ଗେଟ୍ କରିଛନ୍ତି । ରାମ ସମସ୍ତଙ୍କର ବୋଲି ପ୍ରିୟଙ୍କା ଗାନ୍ଧୀଙ୍କ ବୟାନର ଉତ୍ତର ଦେଇ ସେ କହିଥିଲେ ଯେ, ଆମେ ଆରମ୍ଭରୁ ସେଇକଥା କହୁଛୁ । ଏହି ସଦବୁଦ୍ଧି ଆଗରୁ ଆସିଲା ନାହିଁ କାହିଁକି ? ସେମାନେ କିଏ ଯେଉଁମାନେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ ବୋଲି ଯୋଗୀ ପ୍ରଶ୍ନ କରିଛନ୍ତି ।

Leave a Reply