ଚୀନ୍ ରାଷ୍ଟ୍ରପତିଙ୍କ ସହ ବିବାଦ ପରେ ବିଶ୍ୱର ତୃତୀୟ ଧନୀ ଜ୍ୟାକ୍ ମା’ ଗାଏବ

ବେଜିଂ: ଚୀନର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶ୍ୱ ଧନାଢ୍ୟ ତାଲିକାରେ ତିନି ନମ୍ବରରେ ଥିବା ଅଲ୍ଲି ବାବା ଗ୍ରୁପ୍ ମାଲିକ ଜ୍ୟାକ୍ ମା’ ଗତ ଦୁଇ ମାସ ହେଲା ଗାଏବ ଅଛନ୍ତି । ଜ୍ୟାକ୍ କୁଆଡେ ଗଲେ କାହା ପାଖରେ ଖବର ନାହିଁ । ଅକ୍ଟୋବର ମାସରେ ଦେଶର ଷ୍ଟକ୍ ମାର୍କେଟ୍ ଓ ସରକାରୀ ବ୍ୟାଙ୍କ ନୀତିକୁ ସମାଲୋଚନା କରି ଜ୍ୟାକ୍ ସାଙ୍ଘାଇରେ ଭାଷଣ ଦେଇଥିଲେ । ଯାହାକୁ ନେଇ ତାଙ୍କର ପରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ବିବାଦ ହୋଇଥିଲା । ଏହାପରଠାରୁ ଗତ ଦୁଇ ମାସ ହେଲା ଜ୍ୟାକଙ୍କ ପତା ମିଳୁନାହିଁ ।

ବ୍ୟବସାୟ ଓ ବ୍ୟବସାୟୀଙ୍କୁ ଅଧିକ ସୁବିଧା ଯୋଗାଇ ଦେବା ପାଇଁ ଜ୍ୟାକ୍ ଆର୍ଥିକ ସୁଧାର ଦାବି କରିଥିଲେ । ସେ ବିଶ୍ୱ ବ୍ୟାଙ୍କ ବ୍ୟବସ୍ଥାକୁ ‘ବୃଦ୍ଧଙ୍କ କ୍ଲବ୍’ ଭାବେ ଅଭିହିତ କରିଥିଲେ । ତାଙ୍କର ଏହି ଭାଷଣକୁ ଚୀନ କମ୍ୟୁନିଷ୍ଟ୍ ପାର୍ଟି ପସନ୍ଦ କରିନଥିଲା । ଜ୍ୟାକଙ୍କ ସମାଲୋଚନା କମ୍ୟୁନିଷ୍ଟ୍ ପାର୍ଟି ବିରୋଧରେ ଆକ୍ରମଣ ବୋଲି ପାର୍ଟି ଗ୍ରହଣ କରିଥିଲା । ଏହାକୁ ନେଇ କମ୍ୟୁନିଷ୍ଟ୍ ପାର୍ଟି ସୁପ୍ରିମୋ ତଥା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଉତକ୍ଷିପ୍ତ ହୋଇଥିଲେ ।

ଜିନପିଙ୍ଗଙ୍କ ଆଦେଶର କଠୋର କାର୍ଯ୍ୟାନୁଷ୍ଠାନ
ନଭେମ୍ବର ୨୦୨୦ର ଚୀନ ଅଧିକାରୀ ଜ୍ୟାକ୍ ଓ ତାଙ୍କ କମ୍ପାନୀକୁ ଜୋରଦାର ଝଟକା ଦେବାକୁ ଯାଇ ଆଲ୍ଲିବାବା ଗ୍ରୁପର ୩ ହଜାର ୭ ଶହ କୋଟି ଡଲାରର ଆଇପିଓକୁ ବାତିଲ କରି ଦେଇଥିଲେ । ଏହି ଆଦେଶ ସିଧାସଳଖ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ କାର୍ଯ୍ୟାଳୟରୁ ଯାଇଥିଲା । ଏହାପରେ ଜ୍ୟାକଙ୍କୁ କୁହାଯାଇଥିଲା ଯେ, ସେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଚୀନ୍ ଛାଡି ଯାଇ ପାରିବେ ନାହିଁ ।

ଏହି ଘଟଣା ପରେ ଜ୍ୟାକ୍ ନିଜ ଟିଭି ସୋ’ ‘ଆଫ୍ରିକା ବିଜନେସ୍ ହିରୋଜ୍’ର ନଭେମ୍ବର ଫାଇନାଲ ଏପିସୋଡ୍ ପୂର୍ବରୁ ରହସ୍ୟମୟ ଭାବେ ଗାଏବ ହୋଇଯାଇଥିଲେ । କେବଳ ଏତିକି ନୁହେଁ ସୋ’ରୁ ତାଙ୍କ ଚିତ୍ରକୁ ମଧ୍ୟ କାଢି ଦିଆଯାଇଥିଲା । ତେବେ ଅଲ୍ଲିବାବା ଗ୍ରୁପ ତରଫରୁ ଏଥିପାଇଁ ଅନ୍ୟ କାରଣ ଦର୍ଶା ଯାଇଥିଲା । ସିଡ୍ୟୁଲ୍ ବିବାଦ କାରଣରୁ ଜ୍ୟାକ୍ ସୋ’ ଛାଡିଛନ୍ତି ବୋଲି ଗ୍ରୁପ୍ ମୁଖପାତ୍ର କହିଥିଲେ ।

ତେବେ ସୋ’ ଫାଇନାଲର ଢେର ପୂର୍ବରୁ ଜ୍ୟାକ୍ ଏକ ଟ୍ୱିଟରେ ସେ ପ୍ରତିଯୋଗୀଙ୍କ ସହ ସାକ୍ଷାତାକରକୁ ଅପେକ୍ଷା କରିଛନ୍ତି ବୋଲି ଲେଖିଥିଲେ । କେବଳ ଏତିକି ନୁହେଁ ଟ୍ୱିଟରରେ ସର୍ବଦା ସକ୍ରିୟ ରହୁଥିବା ଜ୍ୟାକ୍ ଅକ୍ଟୋବର ମାସରୁ ଟ୍ୱିଟରରୁ ମଧ୍ୟ ଅଦୃଷ୍ୟ ଅଛନ୍ତି । ଜ୍ୟାକଙ୍କ ଆକାଉଣ୍ଟରୁ ଶେଷଥର ପାଇଁ ଅକ୍ଟୋବର ୧୦ ତାରିଖରେ ଟ୍ୱିଟ୍ ହୋଇଥିଲା । ଏମିତିରେ ଜ୍ୟାକଙ୍କୁ ଗିରଫ କରାଯାଇଥିବା ଓ ଗୃହବନ୍ଦୀ ଭାବେ ରଖା ଯାଇଥିବା ଆଶଙ୍କ କାରାଯାଉଛି ।

Leave a Reply