ସେଇ ମାଫିଆ ଡନ୍ ଯାହାର ଦିନକୁ ଆୟ ଥିଲା ୪ ଶହ କୋଟି,ରାଷ୍ଟ୍ରପତି ହେବା ଥିଲା ଯାହାର ସ୍ୱପ୍ନ

1 min read
worlds-most-wealthy-crime-boss-pablo-escobar

ପାବ୍ଲୋ ଏସ୍କୋବାର । ନାଁ ତ’ ଶୁଣିଥିବେ । ଯଦି ଶୁଣିନଥିବେ ତେବେ ନେଟଫ୍ଲିକ୍ସକୁ ଯାଆନ୍ତୁ ଜାଣିଯିବେ । ଇଏ ଏମିତି ଗୋଟିଏ ନାଁ ଯାହା ପଛରେ ପୂରା ଦୁନିଆର ପୋଲିସ ପଡ଼ିଥିଲା । ଆମେରିକା ଏହି ଗୋଟିଏ ଲୋକକୁ ଧରିବା ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିଲା । ଆଉ ସିଏ , ମାନେ ପାବ୍ଲୋ ଏସ୍କୋବାର କ’ଣ କରୁଥିଲା ? ସିଏ କଲମ୍ବିଆର ସଂସଦ ମଧ୍ୟକୁ ପ୍ରବେଶ କରିପାରିଥିଲା । ରାଷ୍ଟ୍ରପତି ହେବାକୁ ସ୍ୱପ୍ନ ଦେଖୁଥିଲା । ଏସ୍କୋବାରର ଏତିକି ଟଙ୍କା ମୁଷା ଖାଇଯାଉଥିଲେ ଯେତିକି ଆପଣଙ୍କ ଆଖପାଖର ଲୋକଙ୍କୁ କୋଟିପତି ନୁହେଁ ବିଲିୟନାରୀ ବନେଇ ଦେବ । ଏସ୍କୋବାରର କାହାଣୀ, ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତ  ।

ଦୁନିଆର ସବୁଠୁ ଧନୀ ମାଫିଆ

ଦାଉଦ୍ ଇବ୍ରାହିମ୍ ଛୋଟ ନୁହେଁ କିନ୍ତୁ ଦାଉଦ୍ ପାବ୍ଲୋ ଆଗରେ ବାମନ । ପାବ୍ଲୋ ଏମିତି ଜଣେ ସ୍ମଗ୍ଲର ଥିଲା ଯିଏ ଧୂର୍ତ୍ତତାର ସବୁ ରେକର୍ଡ ଭାଙ୍ଗିଥିଲା । ସେ ଏମିତି ବାଟରେ ସରକାରଙ୍କୁ ଚକମା ଦେଉଥିଲା ଯେ, ମୃତ୍ୟୁର ୨୭ ବର୍ଷ ପରେ ବି ଆଜି ତା’ ବାବଦରେ ଆଲୋଚନା ହୁଏ । ଏତେ ଧନୀ ଥିଲା ଯେ, ନୋଟ ବଣ୍ଡଲକୁ ମାଟି ଖୋଳି ପୋତୁଥିଲା । କାରଣ ଟଙ୍କା ରଖିବାକୁ ଗୋଦାମ କମ ପଡୁଥିଲା । ଏତେ ଟଙ୍କା ଥିଲା ଯେ, ଟଙ୍କାକୁ ବଣ୍ଡଲରେ ବାନ୍ଧିବା ପାଇଁ ସପ୍ତାହକୁ ୭୦ ହଜାର ଟଙ୍କାର ରବର ବ୍ୟାଣ୍ଡ୍ କିଣୁଥିଲା । କେତେ ଭୟଙ୍କର ଥିଲା ପାବ୍ଲୋ ଏସ୍କୋବାର ? ବେଶୀ ନୁହେଁ ୪ରୁ ୫ ହଜାର ଲୋକଙ୍କ ହତ୍ୟା ପାବ୍ଲୋ ଇସାରାରେ ହୋଇଥିଲା । ପ୍ଲେନ୍ ଉଡାଇବାଠାରୁ ବିଚ୍ ବଜାରରେ ସୁଟ୍ ଆଉଟ୍ ଥିଲା ପାବ୍ଲୋ ପାଇଁ ମାମୁଲି କଥା । କଲମ୍ବିଆର ରିୟୋନେଗ୍ରୋ ସହରରେ ୧୯୪୯ ମସିହାରେ ଗୋଟିଏ ଗରିବ ପରିବାରରେ ଦୁନିଆର ସବୁଠୁ ଧନୀ ମାଫିଆ ଜନ୍ମ ହୋଇଥିଲା । କଲେଜ୍ ମାଟି ମାଡ଼ିଥିଲା କିନ୍ତୁ ପରିବାର ଫି’ ଦେଇ ନପାରିବାରୁ ନାଁ କଟିଥିଲା । ତେବେ ପାବ୍ଲୋ ଲଢୁଆ ଥିଲା, ଅପରାଧୀ ମସ୍ତିଷ୍କ ବିଶିଷ୍ଟ ଥିଲା  । ତେଣୁ ଟଙ୍କା ପାଇଁ କବର ତାଡ଼ି ପଥର ବିକ୍ରି ଆରମ୍ଭ କରିଥିଲା । ଆଉ ସେଇଠାରୁ ଆରମ୍ଭ ହୋଇଥିଲା ପାବ୍ଲୋ ଏସ୍କୋବାରର କ୍ରାଇମ୍ କ୍ୟାରିୟର ।

pablo

ସଡକରୁ ଅପରାଧର ଆରମ୍ଭ

ଟିନ୍ ଏଜର ଶେଷ କାଳରେ ପାବ୍ଲୋ ବଡ଼ ବଡ଼ ଅପରାଧ କରିବା ଆରମ୍ଭ କରିଥିଲା । ଗଞ୍ଜେଇ ସପ୍ଲାଇ, ବ୍ୟାନ୍ ସିଗାରେଟ୍, ନକଲି ଲଟେରି ଟିକେଟ୍ ବିକ୍ରି ଓ କାର ଚୋରି ଥିଲା ପାବ୍ଲୋରର ପ୍ରାରମ୍ଭିକ ଅପରାଧ । ୧୯୭୦ ଦଶକର ଆରମ୍ଭରେ ଜଣେ ଚୋର ଓ ବଡିଗାର୍ଡ ଭାବେ ପାବ୍ଲୋର ପରିଚୟ ଥିଲା । ୨୦-୨୧ ବର୍ଷ ବୟସରେ ସେ ପ୍ରଥମ କିଡନ୍ୟାପ୍ କରିଥିଲା । ନିଜ ହୋମ୍ ଟାଉନ୍ ମେଡେଲିନରୁ ଜଣେ ମାଲଦାର ଏକଜିକ୍ୟୁଟିଭଙ୍କ ଅପହରଣ କରି ବଦଳରେ ପାଇଥିଲା ୧ ଲକ୍ଷ ଡଲାର । ଆଜିକା ହିସାବରେ ୪ କୋଟି ଟଙ୍କା । ଅର୍ଥାତ ୨୧ ବର୍ଷ ବୟସରେ ପାବ୍ଲୋ କୋଟିପତି ପାଲଟି ଯାଇଥିଲା ।

ପାବ୍ଲୋ ଭଳି ଗ୍ୟାଙ୍ଗ୍ ଷ୍ଟର ନିଜ ଅପରାଧ ଓ ଧୋକାବାଜି ପାଇଁ ଜଣାଯାନ୍ତି । କିନ୍ତୁ ପାବ୍ଲୋ ଏହାଠାରୁ ବି ଆଗକୁ ଚାଲିଯାଇଥିଲା ।  ୧୯୭୫ ମସିହାରେ ମାତ୍ର ୨୬ ବର୍ଷ ବୟସରେ ସେ ମେଡଲିନର ସବୁଠୁ ବଡ଼ ଡ୍ରଗ୍ ମାଫିଆ ସହ ୧୪ କିଲୋ କୋକେନ୍ ପାଇଁ ଡିଲ୍ କରିବାକୁ ଯାଇଥିଲା । କିନ୍ତୁ ଡିଲ୍ ହୋଇ ପାରିନଥିଲା । ଅବଶ୍ୟ ମିଟିଂରେ ପାବ୍ଲୋ ଡ୍ରଗ୍ ମାଫିଆକୁ ହତ୍ୟା କରି ତା’ର ପୂରା ବ୍ୟବସାୟ ହଡପ କରିନେଇଥିଲା । ଏହାର ଗୋଟିଏ ବର୍ଷ ପରେ ପାବ୍ଲୋ ୧୫ ବର୍ଷୀୟା ମାରିଆ ଭିକ୍ଟୋରିଆଙ୍କୁ ବିବାହ କରିଥିଲା । ପାବ୍ଲୋ-ମାରିଆଙ୍କର ଦୁଇଟି ପିଲା ହୋଇଥିଲେ । ଜୁଆନ ଓ ମେନୁଏଲ ।

ଗୃହଯୁଦ୍ଧରୁ ଜନ୍ମନେଲା ପାବ୍ଲୋର ସାମ୍ରାଜ୍ୟ

ଏହା ସେହି ସମୟ ଥିଲା ଯେତେବେଳେ କଲମ୍ବିଆରେ ସରକାର, ବାମପନ୍ଥୀ ଗରିଲାଙ୍କ ମଧ୍ୟରେ ଗୃହଯୁଦ୍ଧ ଚାଲୁଥିଲା । ଏହି ସମୟରେ ପାବ୍ଲୋ ଏସ୍କୋବାର ଅପରାଧ ଦୁନିଆର ବେତାଜ ବାଦଶା’ ବନି ସାରିଥିଲା । ସେ ତାର ନିଜ ସ୍ୱପ୍ନ ଦେଖୁଥିଲା । ଏହା ତାର ରକ୍ତାକ୍ତ ସଂଘର୍ଷ ଥିଲା । ସେ ଦେଶଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଏହା ଦେଖାଇବାକୁ ଚାହୁଁଥିଲା । ତାର ଫଣ୍ଡା ଓ ଅନ୍ଦାଜ ଏଗଦମ ଅଲଗା ଥିଲା । ସରକାରୀ ଅଧିକାରୀଙ୍କ ପାଇଁ ତ’ ନୀତି ସ୍ପଷ୍ଟ ଥିଲା । ’ମୋଠାରୁ ଲାଞ୍ଚ ଖାଅ କିମ୍ବା ମୋ ଗୁଳି’

pablo escobar

ଲାଂଚ ନା ଗୁଳି ?

ପାବ୍ଲୋର ପିଆଦା ସରକାରୀ ଅଧିକାରୀଙ୍କୁ ପଚାରୁଥିଲେ ‘ପ୍ଲାତା’ କିମ୍ବା ‘ପ୍ଲୋମୋ’ । ମାନେ ସିଲଭର କିମ୍ବା ଶିସା । ଏହାର ଅର୍ଥ ଥିଲା ଲାଞ୍ଚ ନେବ ନା ଗୁଳି ଖାଇ ମରିବ । ପୂରା କଲମ୍ବିଆରେ ଏହା ପ୍ରଶ୍ନ ଏକ ଭୟଙ୍କର ଡାଇଲଗରେ ପରିଣତ ହୋଇଥିଲା । ଲୋକ କହୁଥିଲେ, ଯଦି ସେ ଆପଣଙ୍କୁ ଲାଞ୍ଚ ଦେଇ ନପାରେ ତେବେ ଶତପ୍ରତିଶତ ଗ୍ୟାରେଣ୍ଟି ଯେ, ସେ ଆପଣଙ୍କୁ ମାରି ଦେବ । ହଜାର ହଜାର ସଚ୍ଚୋଟ ଅଫିସରଙ୍କୁ ପାବ୍ଲୋ ହତ୍ୟା କରିଥିଲା ଓ ହଜାର ହଜାର ଲାଞ୍ଚୁଆ ଅଫିସର ମାଲାମାଲ ହୋଇ ଯାଇଥିଲେ । ପାବ୍ଲୋ ପ୍ରାୟ ୪ରୁ ୫ ହଜାର ଲୋକଙ୍କୁ ହତ୍ୟା କରିଥିବା କୁହାଯାଏ । ଏହି ସଂଖ୍ୟା ଅଧିକ ହେବ ପଛେ କମ ନୁହେଁ ।

ପ୍ଲେନ୍ ଟାୟାରରେ କୋକେନ୍ !

କୋକେନ୍ ସ୍ମଗ୍ଲିଂକୁ ପାବ୍ଲୋ ନେକ୍ସଟ୍ ଲେଭଲକୁ ନେଇଯାଇଥିଲା । ପାବ୍ଲୋର ଭାଇର ରବର୍ଟ ଏସ୍କୋବାର ନିଜ ବହି ‘ଇନ୍ ଦ ଆକାଉଣ୍ଟ୍ସ ଷ୍ଟୋରୀ’ରେ ଲେଖିଛି ଯେ, ପାବ୍ଲୋ ଗରିବରୁ ଧନି ହୋଇଥିଲା । ସେ କୋକେନ୍ ସ୍ମଗ୍ଲିଂରୁ ସବୁକିଛି କମାଇ ଥିଲା । ପ୍ଲେନ୍ ଟାୟାରରେ କୋକେନକୁ ଚାଲାଣ କରାଯାଉଥିଲା । ଏଥିପାଇଁ ପାଇଲଟଙ୍କୁ ପ୍ରତି ଫ୍ଲାଇଟ୍ ୫ ଲକ୍ଷ ଡଲାର ଦିଆଯାଉଥିଲା । ମାନେ ବର୍ତ୍ତମାନ ହିସାବରେ ୪ କୋଟିରୁ ଅଧିକ । ଗୋଟିଏ ଫ୍ଲାଇଟରେ ୫ରୁ ୧୧ ଟନ୍ କୋକେନ୍ ସ୍ମଗଲ କରାଯାଉଥିଲା । ଗୋଟିଏ ଫ୍ଲାଇଟରୁ ତା’ର ଆୟ ଥିଲା ସର୍ବନିମ୍ନ ୫ ଲକ୍ଷ ଟଙ୍କା । ଏଥିରେ ସମସ୍ତେ ଖୁସ୍ ଥିଲେ, ପାବ୍ଲୋ ଓ ତାର ପିଆଦାଙ୍କଠାରୁ ଭ୍ରଷ୍ଟ ଅଧିକାରୀ ।

କେତେ ଧନୀ ଥିଲା ପାବ୍ଲୋ ?

ଆପଣ ଭାବୁଥିଲେ ଏତେ ଆୟ ଯଦି ତେବେ ପାବ୍ଲୋ ବହୁତ ଧନୀ ଥିବ । ଆରେ ନାହିଁ, ପାବ୍ଲୋ ପାଇଁ ‘ବହୁତ ଧନୀ’ ବିଶେଷଣ ଖୁବ ଛୋଟ । ତା ପାଖରେ ଏତେ ଟଙ୍କା ଏତେ ସମ୍ପତି ଥିଲା ଯେ, ଫୋର୍ବସ ତାକୁ ତା’ ସମୟରେ ଦୁନିଆର ୭ମ ଧନୀ ବ୍ୟକ୍ତି ବୋଲି କହିଥିଲା । ସେତେବେଳେ ତା ପାଖରେ ଥିଲା ୩ଶହ ବିଲିୟନ ଡଲାର । ଏବେ ଯଦି ତାକୁ ହିସାବ କରାଯାଏ ତେବେ ଅମ୍ବାନୀ,ଗେଟ୍ସ ଓ ବଫେଟ୍ ପାବ୍ଲୋ ଆଗରେ ଗରିବ ଗରିବ ଲାଗିବେ ।

ପାବ୍ଲୋର ଭାଇ ଅନୁସାରେ ସେମାନେ ପ୍ରତି ସପ୍ତାହରେ ୭୦ ହଜାର ଟଙ୍କାର ରବର ବ୍ୟାଣ୍ଡ୍ କିଣୁଥିଲେ ଟଙ୍କା ବଣ୍ଡଲ କରିବା ପାଇଁ ।  ତା’ ଗୋଦାମ ସବୁ କ୍ୟାସରେ ଭର୍ତ୍ତି ହୋଇଗଲା ପରେ ବିଲ,ଜଙ୍ଗଲ ଓ ଗୁମ୍ଫାରେ ସେ ନିଜ ଟଙ୍କା ଲୁଚାଇବା ଆରମ୍ଭ କରିଥିଲା । ତାର ନିଜର ଚିଡିଆଖାନା ଥିଲା । ସେଠି ସେ ବେଙ୍ଗଲ ଟାଇଗରଠାରୁ ଭାରତୀୟ ହାତୀ ସବୁକିଛି ରଖିଥିଲା । ଆଉ ନିଜସ୍ୱ ହେଲିକପ୍ଟର,ପ୍ଲେନ୍ ତା’ପାଇଁ ଖେଳନା ଥିଲା । ଧନ୍ଦା ଯେତେବେଳେ ଜୋରରେ ଚାଲୁଥିଲା ସେତେବେଳେ ସେ ଦିନକୁ ୬୦ ମିଲିୟନ ଡଲାର କମାଉ ଥିଲା । ଆଜିର ହିସାବରେ ଦିନକୁ ୪ ଶହ କୋଟି ଟଙ୍କା !

ପାବ୍ଲୋକୁ ଜେଲ୍ ପସନ୍ଦ ଆସିଲାନି,ନିଜ ପାଇଁ ତିଆରି କଲା ଜେଲ୍

ପାବ୍ଲୋ କଲମ୍ବିଆର ରାଷ୍ଟ୍ରପତି ହେବାକୁ ଚାହୁଁଥିଲା । ସେ ସଂସଦ ପାଇଁ ନିର୍ବାଚନ ମଧ୍ୟ ଲଢି ଜିତିଥିଲା । କିନ୍ତୁ ଅପରାଧିକ ଗତିବିଧି ପାଇଁ ତାକୁ ନିଜ ପଦ ହରାଇବାକୁ ପଡିଥିଲା । ଆମେରିକା ଚାପରେ କଲମ୍ବିଆ ସରକାର ତା’ ଗତିବିଧିକୁ ଲଗାମ ଦେବାକୁ ଉଦ୍ୟମ ଆରମ୍ଭ କଲେ । ପାବ୍ଲୋ ଆଗରେ ଆତ୍ମସମର୍ପଣ ପାଇଁ ସର୍ତ୍ତ ରଖାଗଲା । ଓଲଟା ପାବ୍ଲୋ ସରକାରଙ୍କ ଆଗରେ ସର୍ତ୍ତ ରଖିଲା ଯେ, ସେ ତା’ ନିଜ ପାଇଁ ଜେଲ ତିଆରି କରିବ । ଯଦି ସରକାର ରାଜି ତେବେ ସେ ଆତ୍ମସମର୍ପଣ କରିବ । କୌଣସି ପ୍ରକାରେ ଆମେରିକା ଚାପରୁ ମୁକୁଳିବାକ ଚାହୁଁଥିବା କଲମ୍ବିଆ ସରକାର ତା’ କଥାରେ ରାଜି ହୋଇଥିଲେ । ଆଉ ପାବ୍ଲୋ ତିଆରି କରିଥିଲା ଗୋଟିଏ ପ୍ରାଇଭେଟ୍ ଜେଲ୍ । ଲା’ କାଥିଡ୍ରଲ । ନାଁକୁ ଜେଲ ଥିଲା । ଜେଲରେ ପାବ୍ଲୋର ପୂରା ଗ୍ୟାଙ୍ଗ୍ ରହୁଥିଲା । ପାବ୍ଲୋର ମନୋରଂଜନ ପାଇଁ ସେଠାରେ ସବୁ ବ୍ୟବସ୍ଥା ଥିଲା । ସରକାର ଯେଉଁ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କରିଥିଲେ ସେମାନେ ପାବ୍ଲୋ ଉପରେ ନଜର ରଖିବା ବଦଳରେ ଯେମିତି କେହି ପାବ୍ଲୋ ଜେଲ ଆଡକୁ ନଯାଏ ତା’ ଉପରେ ବେଶୀ ନଜର ରଖୁଥିଲେ । କାରଣ ସେମାନେ ପାବ୍ଲୋର ପେ’ରୋଲରେ ଥିଲେ । ଏହି ଜେଲରେ ହିଁ ପାବ୍ଲୋ ତା’ର ଦୁଇ ଜଣ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା କରିଥିଲା । ଆଉ ଏହି ଜେଲରୁ ହିଁ ପାବ୍ଲୋ ଫେରାର ହୋଇଥିଲା । ପ୍ରକୃତ ପକ୍ଷରେ ଏହିଠାରୁ ପାବ୍ଲୋର କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା ।

କେମିତି ମଲା ?

ପାବ୍ଲୋକୁ ସହଜରେ ମାରି ଦିଆଯାଇଥିଲା ବୋଲି କହିବା ଠିକ୍ ହେବ ନାହିଁ । ୧୯୯୨ ମସିହାରେ ତାକୁ ସଫା କରିବା ପାଇଁ କଲମ୍ବିଆ ପୋଲିସକୁ ଗୋଟିଏ ନୂଆ ୟୁନିଟ୍ ତିଆରି କରିବାକୁ ପଡିଥିଲା । ଯାହାର ନାଁ ଥିଲା ସର୍ଚ୍ଚ ବ୍ଲକ୍ । ୨ ଡିସେମ୍ବର ୧୯୯୩ ମସିହାରେ ସର୍ଚ୍ଚ ବ୍ଲକ୍ ପାବ୍ଲୋକୁ ଗୁଳି କରି ହତ୍ୟା କରିଥିଲା । ପାବ୍ଲୋର ଗୋଟିଏ ଫୋନ୍ କଲ ତାକୁ ମହଙ୍ଗା ପଡିଥିଲା । ସେ ଜାଣିଥିଲା ତା’ ଫୋନ୍ ଟ୍ୟାପ୍ କରାଯାଉଛି । ତଥାପି ସେ ନିଜ ପୁଅ ସହ କଥା ହେବାକୁ ଫୋନ୍ କରିଥିଲା । ଆଉ ସେଇ କଲରୁ ସୁରାକ ଖୋଜି ସର୍ଚ୍ଚ ବ୍ଲକ୍ ତା’ ପାଖରେ ପହଂଚିଥିଲା । ଲୋକଙ୍କୁ ଗୁଳି ଓ ଲାଂଚ ମଧ୍ୟରୁ ଗୋଟିଏକୁ ବାଛିବାକୁ କହୁଥିବା ପାବ୍ଲୋ ଶେଷକୁ ଗୁଳିର ଶିକାର ହୋଇଥିଲା ।

ଗରିବଙ୍କ ରବିନ ହୁଡ୍

ଆଶ୍ଚର୍ଯ୍ୟଜନକ କିନ୍ତୁ ଏହା ବି ସତ ଯେ, ପାବ୍ଲୋକୁ ଗରିବ ଭଲ ପାଉଥିଲେ । ସେ ନିଜେ ଗରିବ ଥିଲା । ତେଣୁ ଗରିବଙ୍କୁ ସବୁ ସମୟରେ ସାହାଯ୍ୟ କରୁଥିଲା । ଗରିବଙ୍କୁ ଘର ଦେବାଠାରୁ ଅନ୍ୟଭାବେ ସାହାଯ୍ୟ କରିବା ପାବ୍ଲୋର ଅଭ୍ୟାସ ଥିଲା । ମେଡେଲିନର ଏହି ଗରିବ ହିଁ ତାକୁ ଭୋଟ୍ ଦେଇ ସଂସଦରେ ପହଂଚାଇଥିଲେ । ପାବ୍ଲୋର ଲୋକପ୍ରିୟତା ଏଇଥିରୁ ଅନୁମାନ କରାଯାଏ ଯେ, ତାର ଅନ୍ତିମ ସଂସ୍କାରରେ ୨୫ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ ।

Leave a Reply